ସମୀକ୍ଷା ବୈଠକକୁ ଆସିଲେନି ମୁଖ୍ୟ ଶାସନ ସଚିବ,ଧର୍ମେନ୍ଦ୍ରଙ୍କ କଟାକ୍ଷ

ଭୁବନେଶ୍ୱର:ରାଜ୍ୟର କିଛି ଅସୁବିଧା ହେଲେ ନିଜର ଅପାରଗତାକୁ ଲୁଚାଇବାକୁ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା କେନ୍ଦ୍ରକୁ ଦୋଷ ଦିଅନ୍ତି । ରାଜ୍ୟର ବିଭିନ୍ନ ପ୍ରକଳ୍ପ ହେଉ ଅବା କେନ୍ଦ୍ରୀୟ ସହାୟତା ସବୁ କ୍ଷେତ୍ରରେ କେନ୍ଦ୍ରର ଅବହେଳା ବୋଲି କୁହନ୍ତି । କିନ୍ତୁ ଖୋଦ ମୁଖ୍ୟମନ୍ତ୍ରୀ ରାଜ୍ୟର ବିକାଶ ଚାହୁଁ ନଥିବା ଆଜି ସ୍ପଷ୍ଟ ହୋଇଛି । ଏହାସହ ରାଜ୍ୟ ସରକାରଙ୍କ ଓଡିଶାର ଉନ୍ନତି ପାଇଁ ତିଳେହେଲେ ଆନ୍ତରିକତା ନଥିବା ପ୍ରମାଣିତ ହୋଇଛି । ସୂଚନାନୁସାରେ, କେନ୍ଦ୍ର ସରକାର ରାଜ୍ୟକୁ ଅନେକ ପ୍ରକଳ୍ପ ପାଇଁ ଆବଶ୍ୟକୀୟ ଅର୍ଥ ପ୍ରଦାନ କରୁଛନ୍ତି । କେଉଁଠି ପ୍ରକଳ୍ପ ଆରମ୍ଭ ହୋଇ ନାହିଁ ତ ଆଉ କେଉଁଠି ଅଟକ ରହିଛି । ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଟକି ରହିଥିବା ବିଭିନ୍ନ କେନ୍ଦ୍ର ସରକାରଙ୍କ ପ୍ରକଳ୍ପ ବାବଦରେ ରାଜ୍ୟ ସରକାରଙ୍କ ସହ ସମୀକ୍ଷା କରିବାକୁ ଚାହିଁଥିଲେ । ଏଥିପାଇଁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କୁ ନିମନ୍ତ୍ରଣ କରିଥିଲେ । ରାଜ୍ୟ ଅତିଥି ଭବନରେ ଆୟୋଜିତ ହୋଇଥିବା ଏହି ସମୀକ୍ଷା ବୈଠକରେ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଗେଲ୍ ଏବଂ ଏନଏଚଏଆଇର ଅଧିକାରୀ ସାମିଲ ଥିଲେ । କିନ୍ତୁ ଆଦିତ୍ୟ ପ୍ରସାଦ ବୈଠକକୁ ଆସିଲେ ନାହିଁ । ଫଳରେ ଏହାକୁ ବାତିଲ କରିଦିଆଯାଇଥିଲା । ଏହି ପ୍ରସଙ୍ଗରେ ଧର୍ମେନ୍ଦ୍ର କହିଛନ୍ତି କି, ଭାରତ ସରକାରଙ୍କ ଗୁଡିଏ ମହତ୍ୱକାଂକ୍ଷୀ ପ୍ରକଳ୍ପ ଓଡିଶାରେ ଅହେତୁକ ବିଳମ୍ବ ହେଉଛି । ପେଟ୍ରୋଲିୟମ ବିଭାଗର ଅନେକ ପ୍ରକଳ୍ପ, ରେଲୱେର ରାସ୍ତା ବିଭାଗ, ଏନଏଚଏଆଇ, ନାଲକୋ, ଏନଟିପିସି, ଏମସିଏଲ ସହ ରାଜ୍ୟ ସରକାରଙ୍କ ଆଲୋଚନାର ଆବଶ୍ୟକତା ଅଛି । ଏଥିପାଇଁ ଆଜି ଏକ ସମୀକ୍ଷା ବୈଠକର ଆୟୋଜନ କରାଯାଇଥିଲା । କିନ୍ତୁ ଓଡିଶାର ମୁଖ୍ୟ ଶାସନ ସଚିବଙ୍କୁ ବିଭାଗୀୟ କାର‌୍ୟ୍ୟାଳୟ ତରଫରୁ ଚିଠିରେ ଅନୁରୋଧ କରାଯାଇଥିଲେ ମଧ୍ୟ ସେ ଆସିଲେ ନାହିଁ । ବୋଧହୁଏ ସେ ବଡ କାମରେ ବ୍ୟସ୍ତ ଥିବେ, ସମୟ ହୋଇନଥିବ । ପ୍ରଗତିରେ ଏସବୁ କାମ ଗୁଡିକ ଗୁରୁତ୍ୱ ହୁଏତ ତାଙ୍କୁ, ରାଜ୍ୟ ସରକାର ବା ମୁଖ୍ୟମନ୍ତ୍ରୀଙ୍କୁ ଜଣାନଥିବ । ଗୋଟିଏ ପଟେ ରାଜ୍ୟ ସରକାର ବିକାଶର କଥା କହିବା ସହ କେନ୍ଦ୍ର ଅବହେଳା ପ୍ରସଙ୍ଗ କହିଥାନ୍ତି । କିନ୍ତୁ କେନ୍ଦ୍ର ସରକାର ରାଜ୍ୟର ବିକାଶ ପାଇଁ ନିରନ୍ତର ଉଦ୍ୟମ କରୁଛନ୍ତି । ସେଥିପାଇଁ ସମୀକ୍ଷା ବୈଠକ ଡକା ଯାଇଥିଲା । କିନ୍ତୁ ମୁଖ୍ୟ ଶାସନ ସଚିବ ଯୋଗ ନଦେବା ସମସ୍ତଙ୍କୁ ଚକିତ କରିଛି । ପ୍ରକୃତ କଥା ହେଉଛି କି ରାଜ୍ୟ ସରକାର ଓଡିଶାର ଉନ୍ନତି ଚାହୁଁ ନାହାନ୍ତି । ନବୀନଙ୍କ ସମସ୍ତ ଅଭିଯୋଗ ମିଛ ବୋଲି ପ୍ରମାଣିତ ହୋଇଛି ।