କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଜୟଶଙ୍କରଙ୍କୁ ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡ଼ିଆ ନାବିକ ସୁଦୀପ ଚୌଧୁରୀଙ୍କ ସମେତ ୫ ଭାରତୀୟ ନାବିକ ନାଇଜେରିଆରେ ପଣବନ୍ଦୀରୁ ମୁକ୍ତ ହେବା ପରେ ଏହି ଘଟଣାରେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ. ସୁବ୍ରମଣ୍ୟମ ଜୟଶଙ୍କରଙ୍କୁ ଧନ୍ୟବାଦ ଜଣାଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟ୍ୱିଟ କରି ଏନେଇ କେନ୍ଦ୍ରମନ୍ତ୍ରୀ ଜୟଶଙ୍କରଙ୍କ ସମେତ ଏହି ଘଟଣାରେ ସହଯୋଗ କରିଥିବା ସମସ୍ତ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ନାଇଜେରିଆରେ ପଣବନ୍ଦୀ ହୋଇ ରହିଥିବା ୫ ଭାରତୀୟ ନାବିକଙ୍କୁ ଉଦ୍ଧାର କରିବା ପାଇଁ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଜୟଶଙ୍କରଙ୍କ ହସ୍ତକ୍ଷେପ ଲୋଡିଥିଲେ ଶ୍ରୀ ପ୍ରଧାନ । ଏନେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଓଡ଼ିଶା ନାବିକ ସୁଦୀପ ଚୌଧୁରୀଙ୍କ ବାପା ପ୍ରଦୀପ୍ତ କୁମାର ଚୌଧୁରୀଙ୍କ ପକ୍ଷରୁ ଅପିଲ୍ କରାଯାଇଥିଲା ।

ଓଡ଼ିଶାର ସୁଦୀପ ଚୌଧୁରୀଙ୍କ ସମେତ ହରିୟାଣାର ଅଙ୍କିତ ହୁଡା, ମହାରାଷ୍ଟ୍ରର ଚିରାଗ ୟାଦବ, ଆନ୍ଧ୍ରପ୍ରଦେଶର ଅଭିନାଶ ରେଡ୍ଡି ଏବଂ ମୁଗୁ ରବି ମଧ୍ୟ ପଣବନ୍ଦୀ ହୋଇଥିବା ନେଇ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କୁ ଜଣାଇଥିଲେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ । ବ୍ୟକ୍ତିଗତ ଭାବେ ଏହି ମାମଲାରେ ହସ୍ତକ୍ଷେପ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କେନ୍ଦ୍ରମନ୍ତ୍ରୀ ଜୟଶଙ୍କରଙ୍କୁ ଅନୁରୋଧ କରିଥିଲେ ।