ମୁଖ୍ୟମନ୍ତ୍ରୀ-ଧର୍ମେନ୍ଦ୍ରଙ୍କ ଭେଟଘାଟ; ଓଡ଼ିଶାରେ ଇସ୍ପାତ ଶିଳ୍ପର ବିକାଶ ନେଇ ଆଲୋଚନା

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ର ଇସ୍ପାତ ଓ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲୋକସେବା ଭବନଠାରେ ସାକ୍ଷାତ କରିଛନ୍ତି । ଏହି ଭେଟଘାଟରେ ଉଭୟ ରାଜ୍ୟର ଇସ୍ପାତ ଶିଳ୍ପର ବିକାଶ ନେଇ ଆଲୋଚନା କରିଥିବା ଜଣାପଡିଛି । ଏହି ସମୟରେ କେନ୍ଦ୍ର ଇସ୍ପାତ ମନ୍ତ୍ରାଳୟର କେତେକ ବରିଷ୍ଠ ଅଧିକାରୀ ଓ ରାଜ୍ୟ ଇସ୍ପାତ ଓ ଖଣି ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି ଅବସରରେ ଜାପାନର ଏକ ପ୍ରତିନିଧିମଣ୍ଡଳ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଛନ୍ତି । ଏହି ଜାପାନି ପ୍ରତିନିଧିମଣ୍ଡଳ ଆସନ୍ତା କାଲି କେନ୍ଦ୍ର ଇସ୍ପାତ ମନ୍ତ୍ରାଳୟ ପକ୍ଷରୁ ଭୁବନେଶ୍ୱରରେ ଆୟୋଜିତ ଏକ ସମ୍ମିଳନୀରେ ଯୋଗ ଦେବେ । ଏହି ସମ୍ମିଳନୀରେ ଶ୍ରୀ ପ୍ରଧାନ ମୁଖ୍ୟ ଅତିଧିଭାବେ ଯୋଗ ଦେବେ । କେନ୍ଦ୍ର ଇସ୍ପାତ ମନ୍ତ୍ରାଳୟର ଅତିରିକ୍ତ ସଚିବ ରସିକା ଚୋବେ ମଧ୍ୟ ଏହି ସମ୍ମିଳନୀରେ ଯୋଗ ଦେବେ ।

ସୂଚନାଯୋଗ୍ୟ ଯେ ଗତକାଲି ଶ୍ରୀ ପ୍ରଧାନ ପୋସ୍କୋ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଜୋଙ୍ଗ-ଉ ଚୋଇଙ୍କୁ ସାକ୍ଷାତ କରି ଭାରତରେ ଇସ୍ପାତ ଉତ୍ପାଦନ ବୃଦ୍ଧି ଉପରେ ଆଲୋଚନା କରିଥିଲେ । ଦୁଇଦିନ ବ୍ୟବଧାନରେ ଶ୍ରୀ ପ୍ରଧାନ ପୋସ୍କୋ ଅଧ୍ୟକ୍ଷ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ଗୁରୁତ୍ୱ ବହନ କରୁଛି । ସୂଚନାଯୋଗ୍ୟ ଯେ ଓଡ଼ିଶାରେ ୧୨ ନିୟୁତ ଟନର ଏକ ଇସ୍ପାତ ପ୍ରକଳ୍ପ କରିବାକୁ ୨୦୦୪ରେ ପୋସ୍କୋ ଓଡ଼ିଶା ସରକାରଙ୍କ ସହ ଏମଓୟୁ କରିଥିଲା । କିନ୍ତୁ ଜମି ଅଧିଗ୍ରହଣରେ ସମସ୍ୟା ଓ ଖଣି ଆବଣ୍ଟନ ସମସ୍ୟାକୁ ନେଇ ପୋସ୍କୋ ଓଡ଼ିଶା ଛାଡ଼ିଥିଲା ।