“ମୋ ସରକାର”: ଥାନା ଅଭିଯୋଗକାରୀଙ୍କୁ ଫୋନ କରି ଫିଡ଼ବ୍ୟାକ ନେଲେ ଡିଜି ବି.କେ. ଶର୍ମା

ଭୁବନେଶ୍ୱର:ରାଜ୍ୟରେ ଅକ୍ଟୋବର ୦୨ ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହେବାକୁ ଯାଉଛି “ମୋ ସରକାର” କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମ ଜରିଆରେ ଥାନା ଓ ଚିକିତ୍ସାଳୟରେ ଆସୁଥିବା ବ୍ୟକ୍ତିଙ୍କ ଠାରୁ ମତାମତ ନିଆଯିବ । ଥାନା ଓ ମେଡିକାଲ ଲୋକଙ୍କୁ କେମିତି ସୁବିଧା ସୁଯୋଗ ମିଳୁଛି ସେନେଇ ପ୍ରତିକ୍ରିୟା ନିଆଯିବ । ପୋଲିସ ବିଭାଗ ଏହି କାର୍ଯ୍ୟକ୍ରମ ନେଇ ପ୍ରସ୍ତୁତି ଜୋରଦାର କରିଛି । ଏହି ଆଧାରରେ ଗତକାଲି ପୋଲିସ କମିଶନର ଫୋନକରି ଲୋକଙ୍କ ପ୍ରତିକ୍ରିୟା ନେଇଥିବା ବେଳେ ଆଜି ଖୋଦ ପୋଲିସ ଡିଜି ଆଜି ଥାନା ଅଭିଯୋଗକାରୀଙ୍କୁ ଫୋନ କରି ତାଙ୍କ ଫିଡ଼ବ୍ୟାକ ପଚାରି ବୁଝିଛନ୍ତି । 

“ମୋ ସରକାର” କାର୍ଯ୍ୟକ୍ରମ ଉପରେ କାମ ଆରମ୍ଭ କରିଛି ପୋଲିସ ବିଭାଗ । ଆଜି ପୋଲିସ ଡିଜି ବି.କେ ଶର୍ମା ସିଧାସଳଖ ଅଭିଯୋଗକାରୀଙ୍କୁ ଫୋନ କରି ଥାନା କର୍ମଚାରୀଙ୍କ ବ୍ୟବହାର, କାର୍ଯ୍ୟ ସମ୍ପର୍କରେ ଫିଡ଼ବ୍ୟାକ ଅର୍ଥାତ ମତ ପଚାରି ବୁଝୁଛନ୍ତି । ଏହି “ମୋ ସରକାର” କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ ବିଭିନ୍ନ ଜିଲ୍ଲାର ୬୩୫ଟି ଥାନା ଆଇଆଇସି ଅଭିଯୋଗକାରୀଙ୍କୁ ଫୋନ କରି ମତ ପଚାରି ବୁଝିବେ । ଥାନାରେ ଅଭିଯୋଗକାରୀଙ୍କୁ କିପରି ବ୍ୟବହାର କରାଯାଉଛି, ଥ।।ନା ଦାୟିତ୍ୱ ଫିକ୍ସ , ଥାନା କେତେ କାମ କରୁଛି,ଏଫଆଇଆର,ଏଫଆଇଆର ପରେ ମେସେଜ ଆସୁଛି ନା ନାହିଁ, ଅଭିଯୋଗ ଉପରେ ଥାନା ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ନା ନାହିଁ ଏନେଇ ଅଭିଯୋଗକାରୀ ନିଜ ମତାମତ ଦେବେ। 

ଏହାପରେ ଅଭିଯୋଗକାରୀଙ୍କ ମାର୍କ ଅନୁସାରେ ଏଥିରୁ ଥାନାର ରିପୋର୍ଟ କାର୍ଡ଼ ପ୍ରସ୍ତୁତ ହେବ । ଏହା ମଧ୍ୟରେ ଥାନାର କୈାଣସି ଏକ ତ୍ରୁଟି ରହିଲେ ତାକୁ ସୁଧାରିବା ପାଇଁ ପୁଣି ଥରେ ସୁଯୋଗ ଦିଆଯିବ । ଥାନା ସମ୍ପର୍କରେ କ୍ରମାଗତ ଭଲ ମତାମତ ନଆସିଲେ ସମ୍ପୃକ୍ତ ପୋଲିସ ଅଧିକାରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ସେହିପରି ଭଲ କାମ କରିବା ଦ୍ୱାରା ନିଷ୍ଠାବାନ ଥାନା ଅଧିକାରୀଙ୍କୁ ପଦୋନ୍ନତି ମଧ୍ୟ ରହିଛି । 

ଉଲ୍ଲେଖଯୋଗ୍ୟ ଯେ , ସେପ୍ଟେମ୍ବର ୧୪ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ  ଏକ ବୈଠକ ବସିଥିଲା । ସେହି ବୈଠକରେ ବିଭିନ୍ନ ଜିଲ୍ଲାର ୬୩୫ଟି ଥାନା ଆଇଆଇସିଙ୍କ ସହ ମୁଖ୍ୟମନ୍ତ୍ରୀ ଭିଡ଼ିଓ କନଫେରେନ୍ସିରେ ଆଲୋଚନା କରି “ମୋ ସରକାର” କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରିଥିଲେ । ଏହା ସହ ସେ ଥାନାରୁ ଲୋକଙ୍କୁ ମିଳୁଥିବା ସେବା ସମ୍ପର୍କରେ ପଚାରି ବୁଝିବାକୁ ଆଇଆଇସିଙ୍କୁ ଅବଗତ କରାଯାଇଥିଲା । ୫ଟିରେ ଭଲ କାମ କରିଲେ ଆଇଆଇସିଙ୍କୁ ଆଗୁଆ ପଦୋନ୍ନତି ପ୍ରଦାନ କରାଯିବ ବୋଲି ମଧ୍ୟ ସେ ଘୋଷଣା କରିଥିଲେ ।