ବାଲେଶ୍ୱର ଗସ୍ତରେ ପୋଲିସ ଡିଜି

ବାଲେଶ୍ୱର: ଆଜି ବାଲେଶ୍ୱର ଗସ୍ତରେ ପୋଲିସ ଡିଜି ଅଭୟ ଯାଇଛନ୍ତି । ସେ ସେଠାକୁ ଯାଇ ସହରର ବିଭିନ୍ନ ଥାନା ଓ ପରେ ଜଳେଶ୍ୱର ଲଖନ୍ନାଥ ଯାଇ ସେଠାରେ ଅନ୍ତଃରାଜ୍ୟ ଚେକପୋଷ୍ଟର ସ୍ଥିତି ସମୀକ୍ଷା କରିଛନ୍ତି । ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟାରେ ବାଲେଶ୍ୱର ରିଜର୍ଭ ପୋଲିସ ‌ ପଡ଼ିଆରେ ହେଲିକପ୍ଟର ଯୋଗେ ଡିଜି ଅଭୟ ଅବତରଣ କରିଥିଲେ। ଏହାପରେ ସେ ପୋଲିସ ବାରାକ, ଟାଉନ ଥାନା, ସଦର ଥାନା, ସହଦେବଖୁଂଟା ଥାନା ସମେତ ସହରର ବିଭିନ୍ନ ନାକା ପଏଂଟରେ କରୋନା ମହାମାରୀର ମୁକାବିଲା ପାଇଁ ସେଠାରେ ନିୟୋଜିତ ହୋଇଥିବା ପୋଲିସକର୍ମୀଙ୍କ ଉତ୍ସାହ ବଢ଼ାଇଥିଲେ।

ଏହି ଗସ୍ତ ଅବସରରେ ଶ୍ରୀ ଅଭୟ ଜଳେଶ୍ୱର ସ୍ଥିତ ଲକ୍ଷ୍ମଣନାଥ ଅନ୍ତଃରାଜ୍ୟ ଚେକ୍‌ପୋଷ୍ଟକୁ ଯାଇଥିଲେ। ସେଠାରେ ପୋଲିସ ବ୍ୟବସ୍ଥାର ସମୀକ୍ଷା କରିବା ସହିତ ବର୍ତମାନ ପରିସ୍ଥିତିରେ ପଶ୍ଚିମବଙ୍ଗରୁ ଆସୁଥିବା ବ୍ୟକ୍ତି ଜିଲ୍ଲାପାଇଁ ଚିନ୍ତାର କାରଣ ପାଲଟିଛନ୍ତି। ତେଣୁ ଯେପରି ସୀମା ଡେଇଁ କେହି ଯେପରି ପ୍ରବେଶ କରି ନପାରିବେ ସେନେଇ ଗୁରୁତ୍ୱାରୋପ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆରଡିସି ଅନୀଲ ସାମଲ, ପୂର୍ବାଂଚଳ ଆଇଜି ଦୀପ୍ତେଶ ପଟ୍ଟନାୟକ, ବାଲେଶ୍ୱର ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତୀ, ଏସପି ବି ଯୁଗଳକିଶୋର ମଧ୍ୟ ଡିଜିଙ୍କ ସହ ଉପସ୍ଥିତ ରହି ଜିଲ୍ଲାରେ କରୋନା ସ୍ଥିତି ଓ ସୀମା ସୁରକ୍ଷାର ନିରୀକ୍ଷଣ କରିଛନ୍ତି। ଏହାପରେ ଡିଜି ଅଭୟ ମୟୁରଭଞ୍ଜ ଗସ୍ତରେ ଯାଇଥିଲେ।