ହେଲିକପ୍ଟର ଉଡାଣ ବିବାଦ : ଜୟଙ୍କୁ ଡିଜିସିଏର କ୍ଲିନ୍‌ ଚିଟ୍‌

ଭୁବନେଶ୍ୱର: ବୈଜୟନ୍ତଙ୍କୁ ମିଳିଲା କ୍ଲିନ୍‌ ଚିଟ୍‌ । ଚିଲିକା ଉପରେ କମ୍‌ ଉଚ୍ଚତାରେ ହେଲିକାପ୍ଟର ଉଡାଣ ନେଇ ତାଙ୍କ ବିରୋଧରେ ହୋଇଥିଲା ଅଭିଯୋଗ । ତେବେ ଅଭିଯୋଗକୁ ସମ୍ପୁର୍ଣ୍ଣ ମିଥ୍ୟା ବୋଲି କହିଛି ଡିଜିସିଏ । ଡିଜିସିଏ ଘଟଣାର ତଦନ୍ତ କରି ରିପୋର୍ଟ ପ୍ରଦାନ କରିଛି ।

ବୈଜୟନ୍ତଙ୍କ ହେଲିକପ୍ଟର ଉଡାଣରେ କୌଣସି ଆଇନ ଉଲ୍ଲଂଘନ ହୋଇନାହିଁ । ଏନେଇ ଭୁବନେଶ୍ୱର ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ନିକଟକୁ ଡିଜିସିଏ ଚିଠି ପଠାଇଛନ୍ତି

ଡିଜିସିଏର ରିପୋର୍ଟ ଅନୁଯାୟୀ, ବୈଜୟନ୍ତଙ୍କ ହେଲିକପ୍ଟର କୌଣସି ପ୍ରକାର ଆଇନ୍‌ ଉଲଂଘନ କରିନାହିଁ । ହେଲିକପ୍ଟରଟି କୌଣସି ସ୍ଥାନରେ ବିପଦପୂର୍ଣ୍ଣ ଭାବେ ନିମ୍ନକୁ ଆସି ନଥିବା ଡିଜିସିଏ ରିପୋର୍ଟରେ କୁହାଯାଇଛି । କୌଣସି ସ୍ଥାନରେ ହେଲିକପ୍ଟରଟି ନଓହ୍ଲାଇ ଲଗାତାର ଭାବେ ଉଡିଥିଲା । ହେଲିକପ୍ଟରଟି ଭୁବନେଶ୍ୱରରୁ ବାହାରି, ପୁରୀ-କୋଣାର୍କ ଦେଇ ଗରଦପୁରରେ ଓହ୍ଲାଇଥିଲା ।

ଗତ ମାସ ୧୫ ତାରିଖରେ ଚିଲିକା ଉପରେ ବୈଜୟନ୍ତଙ୍କ ହେଲିକପ୍ଟର ଚିଲିକା ଉପରେ ବିପଜ୍ଜନକ ଭାବେ କମ୍ ଉଚ୍ଚତାରେ ଉଡିବା ଦର୍ଶାଇ ପୁରୀ ଅରଖକୁଦ ଥାନାରେ ମାମଲା ରୁଜୁ ହୋଇଥିଲା । ଏହାପରେ ଭୁବନେଶ୍ୱର ବିମାନବନ୍ଦରରେ ଥିବା ତାଙ୍କ ହ୍ୟାଙ୍ଗର ଓ ଇମ୍ଫାର ତିନିଟି ହେଲିକପ୍ଟରକୁ ପୋଲିସ ପକ୍ଷରୁ ସିଜ୍ କରାଯାଇଥିଲା । ନିମ୍ନ ଉଚ୍ଚତାରେ ଉଡାଣ ନେଇ ଅଭିଯୋଗ ଆସିଥିବା ହେଲିକପ୍ଟରର ବ୍ଲାକ ବକ୍ସ ଯାଞ୍ଚ ପାଇଁ ଡିଜିସିଏଙ୍କ ନିକଟକୁ ପଠାଯାଇଥିଲା । ଗତ ମାସ ୨୪ ତାରିଖରେ ବୈଜୟନ୍ତ ପଣ୍ଡା ମଧ୍ୟ ଦିଲ୍ଲୀ ଯାଇ ଡିଜିସିଏଙ୍କ ନିକଟରେ ହାଜର ହୋଇ ପକ୍ଷ ରଖିଥିଲେ । ଏହାପରେ ଗତକାଲି ବୈଜୟନ୍ତଙ୍କୁ ହେଲିକପ୍ଟର ଉଡାଣ ନେଇ ତଦନ୍ତ ରିପୋର୍ଟ ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକଙ୍କ ନିକଟକୁ ଆସିଛି । ଯେଉଁଥିରେ ଉଲ୍ଲେଖ ରହିଛି ହେଲିକପ୍ଟର ଉଡାଣରେ ନିୟମ ଉଲ୍ଲଂଘନ ହୋଇନାହିଁ । ଭୁବନେଶ୍ୱରରୁ ପୁରୀ, କୋଣାର୍କ ଦେଇ ଗରଦପୁରରେ ହେଲିକପ୍ଟର ଓହ୍ଲାଇଥିଲା । କୌଣସି ସ୍ଥାନରେ ବିପଜ୍ଜନକ ଭାବେ ତଳକୁ ଆସିନାହିଁ । ଚିଲିକା ଉପରେ ହେଲିକପ୍ଟର ଆଦୌ ଓହ୍ଲାଇନାହିଁ । ଉଡାଣ ଟାଇମିଂରେ ମଧ୍ୟ କୌଣସି ତ୍ରୁଟିବିଚ୍ୟୁତି ହୋଇନାହିଁ ବୋଲି ଚିଠିରେ ଉଲ୍ଲେଖ ରହଥିବା କୁହାଯାଉଛି ।