ବିଜେପୁର ଉପନିର୍ବାଚନ ପାଇଁ ପୁଲିସ ଡିଜିଙ୍କ ସମୀକ୍ଷା ବୈଠକ

ଭୁବନେଶ୍ୱର: ବରଗଡ ବିଜେପୁର ଉପନିର୍ବାଚନ ପାଇଁ ପୁଲିସର ସମୀକ୍ଷା ବୈଠକ । ବରଗଡ ପୁଲିସ ମୁଖ୍ୟାଳୟରେ ବସିଥିବା ବୈଠକରେ ନିର୍ବାଚନ ସମୟରେ ଆଇନ୍ ଶୃଙ୍ଖଳା ବ୍ୟବସ୍ଥା ସଂପର୍କରେ ସମୀକ୍ଷା କରିଛନ୍ତି ପୁଲିସ ମହାନିର୍ଦ୍ଦେଶକ ବିଜୟ କୁମାର ଶର୍ମା । ଏହି ବୈଠକରେ ପଶ୍ଚିମାଂଚଳ ଆଇଜି, ଡିଆଇଜି ଏବଂ ସୀମାନ୍ତବର୍ତ୍ତୀ ୬ଟି ଜିଲ୍ଲାର ଏସପି ସାମିଲ ହୋଇଛନ୍ତି । ଏହାସହ ସିଆରପିଏଫ କମାଣ୍ଡାଂଟ ମଧ୍ୟ ଏହି ସୁରକ୍ଷା ସମୀକ୍ଷା ବୈଠକରେ ସାମିଲ ହୋଇଛନ୍ତି । ପୁଲିସ ଡିଜି ଏମାନଙ୍କଠାରୁ ସୁରକ୍ଷା ସଂପର୍କରେ ପଚାରି ବୁଝିଛନ୍ତି ।

ଅନ୍ୟପଟେ, ବିଜେପୁର ଉପନିର୍ବାଚନକୁ ଆଉ ମାତ୍ର ଦିନ କେଇଟା ବାକି ରହିଥିବା ବେଳେ ନେତାଙ୍କଠାରୁ ଆରମ୍ଭ କରି ପ୍ରଶାସନ ପର୍ଯ୍ୟନ୍ତ ସମସ୍ତେ ସଜାଗ୍ ରହିଛନ୍ତି । ଦଶହରା ପାଇଁ ପ୍ରଚାର ସାମାନ୍ୟ ଧିମେଇ ଥିଲେ ବି ଦଳୀୟ ବୈଠକ ଓ କର୍ମୀ ସମ୍ମିଳନୀ ଭୋଟରଙ୍କୁ ଉତ୍କଣ୍ଠିତ କରିଛି । ଏନେଇ ବିଜେଡି ସମେତ ବିଜେପି ଏବଂ କଂଗ୍ରେସ ଷ୍ଟାର ପ୍ରଚାରକଙ୍କ ତାଲିକା ଜାରି କରିସାରିଥିବା ବେଳେ ଆସନ୍ତା ୧୭ ତାରିଖରେ ବିଜେଡି ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ଗସ୍ତରେ ଯାଉଛନ୍ତି ।

ସେଠାରେ ନବୀନ ଦୁଇ ଦିନ ରହିବା ସହ ବିଭିନ୍ନ ସ୍ଥାନରେ ପ୍ରଚାର କରିବା କାର୍ଯ୍ୟକ୍ରମ ରହିଛି । ତେବେ ୨୦୧୮ ଉପନିର୍ବାଚନରେ ଏଭଳି ଦୁଇ ଦିନିଆ ଗସ୍ତରେ ଥିବା ନବୀନଙ୍କ ଉପରକୁ ଚପଲମାଡ ଘଟଣାକୁ ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ଭୁଲି ପାରି ନଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଆଗାମୀ ଗସ୍ତ ଓ ସୁରକ୍ଷା ବ୍ୟବସ୍ଥା ଉଭୟଙ୍କ ପାଇଁ ଏକ ଚ୍ୟାଲେଂଜରେ ପରିଣତ ହୋଇଛି ।