ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଫଡ଼ନାଭିସ୍‌

ମୁମ୍ବାଇ: ନାଟକୀୟ ଢଙ୍ଗରେ ଶନିବାର ସକାଳୁ ଏନସିପିର ବିଦ୍ରୋହୀ ନେତା ଅଜିତ ପାୱାରଙ୍କ ସହ ମିଶି ଦ୍ୱିତୀୟ ଥର ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦ ଅକ୍ତିଆର କରିଥିବା ବିଜେପି ନେତା ଦେବେନ୍ଦ୍ର ଫଡ଼ନାଭିସ ଶେଷରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଆସନ୍ତାକାଲି ସୁପ୍ରିମକୋର୍ଟ ଫଡ଼ନାଭିସ ସରକାରଙ୍କୁ ଆସ୍ଥା ଭୋଟର ସମ୍ମୁଖୀନ ହେବାକୁ ନିର୍ଦ୍ଦେଶ ଦେଇଥିଲେ।

ପୂର୍ବରୁ ୧୭୦ ବିଧାୟକ ନିଜ ପାଖରେ ରଖିଥିବା ନେଇ ଦମ୍ଭୋକ୍ତି କରୁଥିବା ଫଡ଼ନାଭିସ ଅପରାହ୍ଣ ସମୟରେ ସାମ୍ବାଦିକ ସମ୍ମିଳନୀ କରି ଆଗୁଆ ଇସ୍ତଫା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବାର ୩ ଦିନ ୮ ଘଣ୍ଟା ପରେ ସେ ନିଜ ପଦରୁ ଇସ୍ତଫା ଦେବା ନେଇ ଘୋଷଣା କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି,“ମୁଁ ଏବେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଉଛି। କିଛି ସମୟ ପରେ ମୁଁ ମୋର ଇସ୍ତଫାପତ୍ର ରାଜ୍ୟପାଳଙ୍କୁ ଦେବି। ମୁଁ ନୂଆ ସରକାର ଗଠନ କରିଥିବା ଦଳଗୁଡ଼ିକୁ ଶୁଭେଚ୍ଛା ଜଣାଉଛି।

ବିରୋଧୀ ଦଳରେ ରହି ଆମେ ଲୋକଙ୍କୁ ସେବା କରିବୁ। ଆମର ଅସାଧୁ ମେଣ୍ଟରେ ସାମିଲ ହେବାର ନାହିଁ। ଲୋକମାନେ ଶିବସେନା ଓ ବିଜେପିକୁ ସରକାର ଗଠନ କରିବାକୁ ଜନାଦେଶ ଦେଇଥିଲେ। ନିର୍ବାଚନ ବେଳେ ଶିବସେନା ସହ ମୁଖ୍ୟମନ୍ତ୍ରୀ ପଦକୁ ନେଇ କୌଣସି ବୁଝାମଣା ହୋଇ ନଥିଲା। ଏନସିପିର କିଛି ବିଧାୟକ ଆମକୁ ଆସିଥିଲେ ବୋଲି ଆମେ ସରକାର ଗଠନ କରିଥିଲୁ।

ହେଲେ ଏବେ ଆଉ ଆମେ ଘୋଡ଼ା ବେପାର କରିବାର ଅପବାଦକୁ ସହ୍ୟ କରିବୁ ନାହିଁ। ତେଣୁ ମୁଁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛି। ଏବେ ୩ ଦଳ ମିଶି ସରକାର ଗଠନ କରିବେ। ହେଲେ ସେମାନେ କେତେ ଦିନ ସରକାରରେ ରହି କାର୍ଯ୍ୟ କରୁଛନ୍ତି, ତାହା ଦେଖିବାର ରହିଛି। ଆଜି ଅଜିତ ପାୱାର ମୋ ସହ ସାକ୍ଷାତ କରିଥିଲେ। ସେ ଆଉ ନିଜ ପଦରେ ରହି କାର୍ଯ୍ୟ କରିବେ ନାହିଁ ବୋଲି କହିଛନ୍ତି। ସାମ୍ବାଦିକ ସମ୍ମିଳନୀରୁ ମୁଁ ସିଧା ରାଜ୍ୟପାଳଙ୍କୁ ଭେଟି ଇସ୍ତଫାପତ୍ର ଦେବି। ”

ଫଡ଼ନାଭିସଙ୍କ ଇସ୍ତଫା ପୂର୍ବରୁ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ମଧ୍ୟ ନିଜ ପଦରୁ ଇସ୍ତଫା ଦେଇଥିଲେ।