ଆସନ୍ତା ୨ଦିନ ମଧ୍ୟରେ ଏଭଳି ଜିଲ୍ଲା ଗୁଡିକରେ ପଡିବ ଘନ କୁହୁଡି

ଭୁବନେଶ୍ୱର: ଆସନ୍ତା ୨ଦିନ ମଧ୍ୟରେ ରାଜ୍ୟର ୭ଟି ଜିଲ୍ଲାରେ ଘନ କୁହୁଡି ପଡିବ । କୁହୁଡିର ପରିମାଣ ୫୦ ମିଟରରୁ ଅଧିକ ଦୂରତା ପର୍ଯ୍ୟନ୍ତ ରାସ୍ତା ଅଦୃଶ୍ୟମାନ ରହିବ ବୋଲି ଆଂଚଳିତ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ୧୯ ତାରିଖରେ ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି ଓ ବଲାଙ୍ଗୀର ଜିଲ୍ଲାରେ ଘନ କୁହୁଡ଼ି ପଡ଼ିବ। ସ୍ଥାନେ ସ୍ଥାନେ ପୂର୍ବାହ୍ନ ପର୍ଯ୍ୟନ୍ତ ବି ପ୍ରବଳ କୁହୁଡ଼ି ଲାଗିରହିବ। ୨୦ ତାରିଖରେ ଉକ୍ତ ଜିଲ୍ଲାଗୁଡ଼ିକ ସମେତ ମାଲକାନଗିରି ଜିଲ୍ଲାର କେତେକ ସ୍ଥାନରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି।

ଅନ୍ୟପକ୍ଷରେ ଗତକାଲିଠାରୁ ଉପକୂଳ ଓ ଉତ୍ତର ଓଡ଼ିଶାରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି। ରାତିର ତାପମାତ୍ରା କେଉଁଠି ଦୁଇ ଡିଗ୍ରି କମିଛି ତ ଆଉ କେଉଁଠି ୩ ଡିଗ୍ରି ହ୍ରାସ ପାଇଛି। ଆସନ୍ତା ୩ ଦିନ ମଧ୍ୟରେ ଅଧିକାଂଶ ସହରର ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ। ଭୁବନେଶ୍ୱରର ସର୍ବୋଚ୍ଚ ତାପମାତ୍ରା ୨୯ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୧୭ ଡିଗ୍ରି ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।