ସକାଳୁ କୁହୁଡିର ଚାଦରରେ ଆଚ୍ଛାଦିତ ସାରା ରାଜ୍ୟ

ଭୁବନେଶ୍ୱର: ଆଜି ସକାଳୁ କୁହୁଡିର ଚାଦରରେ ଆଚ୍ଛାଦିତ ସାରା ରାଜ୍ୟ । ବିଶେଷ କରି ରାଜଧାନୀ, କଟକ, ପୁରୀ ସହ ଅନେକ ସହରରେ ଘନ କୁହୁଡି ଦେଖିବାକୁ ମିଳିଥିଲା । ଘନ କୁହୁଡି କାରଣରୁ ଯାତାୟତରେ ବାଧାପ୍ରାପ୍ତ ଦେଖାଯାଇଥିଲା ।

ଗତ ୨ଦିନ ହେବ ରାଜଧାନୀ ଭୁବନେଶ୍ୱର ସହ ଅନେକ ସହର ଘନ କୁହୁଡ଼ିର ଚାଦର ତଳେ ଢାଙ୍କି ହୋଇ ରହୁଛି । ଆଜି ମଧ୍ୟ ସେହିପରି ଚାରିଆଡ଼େ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି । କୋରାପୁଟ, ଦାରିଙ୍ଗବାଡ଼ିରେ ପ୍ରବଳ କୁହୁଡ଼ି ଓ ଥଣ୍ଡା ଅନୁଭୂତ ହେଉଛି । ଭୁବନେଶ୍ୱରର ଅନେକ ଅଂଚଳ ଓ ପୁରୀ ଶ୍ରୀମନ୍ଦିର ଘନ କୁହୁଡ଼ିରେ ଆଚ୍ଛାଦିତ ହୋଇ ରହିଛି । ଘନ କୁହୁଡ଼ି ଯୋଗୁଁ ସକାଳ ସମୟରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହେଉଛି । କିଛି ସ୍ଥାନରେ ସକାଳର ଆଂଶିକ ଶୀତୁଆ ପବନରେ ପ୍ରାତଃଭମଣ କରି ଚା ଖଟିରେ ମଜା ନେଉଛନ୍ତି ଲୋକେ ।

କୁହୁଡ଼ିର ବହଳ ଆସ୍ତରଣ କାରଣରୁ ରାସ୍ତାର ୧୫ ରୁ ୨୦ମିଟର ଦୂରରୁ ଆସୁଥିବା ଗାଡ଼ି ମଟର ମଧ୍ୟ ଦେଖିବା କଷ୍ଟକର ହେଉଛି । ଫଳରେ ରାସ୍ତାରେ ଗାଡ଼ି ଚଳାଇବା ମଧ୍ୟ କଷ୍ଟ ହୋଇପଡ଼ିଛି । ତେବେ ଏହି କୁହୁଡ଼ି କାରଣରୁ କିଛି ସ୍ଥାନରେ ଦୁର୍ଘଟଣା ମଧ୍ୟ ଘଟିଥିବା ଜଣାପଡ଼ିଛି । କୁହୁଡ଼ି ଯୋଗୁଁ ମାଲବାହୀ ଟ୍ରେନକୁ ଧକ୍କା ଦେଇ ଆଜି ସକାଳେ ମୁମ୍ବାଇ- ଭୁବନେଶ୍ୱର ଲୋକମାନ୍ୟ ତିଲକ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଥିବା ଜଣାପଡ଼ିଛି ।