ଭୁବନେଶ୍ୱର: ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡିର ଚାଦରରେ ଆସ୍ତରଣ ରହିଥିଲା । ତେବେ ଭୁବନେଶ୍ୱର, କଟକ, ପୁରୀ ସମେତ ଅନେକ ସହରରେ ଘନ କୁହୁଡି ଦେଖିବାକୁ ମିଳିଥିଲା । ଫଳରେ ସକାଳୁ ସକାଳୁ ଘନକୁହୁଡ଼ି କାରଣରୁ ଯାତାୟତ ମଧ୍ୟ ବାଧାପ୍ରାପ୍ତ ହେଉଛି । ଆହୁରି ୨, ୩ଦିନ ଘନ କୁହୁଡ଼ି ନେଇ ପାଣିପାଗ ବିଭାଗ ପକ୍ଷରୁ ୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ଓଡ଼ିଶାର ଚାରିଆଡ଼େ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି । ଗତ କିଛି ଦିନ ହେବ ରାଜଧାନୀ ଭୁବନେଶ୍ୱର ସହ ଅନେକ ସହର ଘନ କୁହୁଡ଼ିର ଚାଦର ତଳେ ଢାଙ୍କି ହୋଇ ରହୁଛି । ଆଜି ମଧ୍ୟ ସେହିପରି କୋରାପୁଟ, ଭୁବେନଶ୍ୱର, ଫୁଲବାଣୀ, ସମ୍ବଲପୁର,ଦାରିଙ୍ଗବାଡ଼ିରେ ପ୍ରବଳ କୁହୁଡ଼ି ଓ ଥଣ୍ଡା ଅଭୁଭୂତ ହେଉଛି । ଘନ କୁହୁଡ଼ି ନେଇ ପାଣିପାଗ ବିଭାଗ ପକ୍ଷରୁ ୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସୁନ୍ଦରଗଡ଼, କେନ୍ଦୁଝର, ମାଲକାନଗିରି, ଢେଙ୍କାନାଳ, ମୟୂରଭଞ୍ଜ, ଅନୁଗୁଳ, କଳାହାଣ୍ଡି, କୋରାପୁଟକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଉପକୂଳବାସୀଙ୍କୁ ମଧ୍ୟ କୁହୁଡ଼ିରୁ ନିସ୍ତାର ମିଳିବ ନାହିଁ । ପୁରୀ, ଜଗତସିଂହପୁର, ଖୋର୍ଦ୍ଧା, ବାଲେଶ୍ୱର ଓ ଭଦ୍ରକରେ ଘନ କୁହୁଡ଼ି ରହିବ । ଚାନ୍ଦବାଲିରେ ସବୁଠାରୁ ଅଧିକ ଘନ କୁହୁଡ଼ି ଦେଖିବାକୁ ମିଳିଛି । ତାପମାତ୍ରା ୧ରୁ ୩ ଡିଗ୍ରୀ ହ୍ରାସ ପାଇଛି । ପାଗ ଶୁଖିଲା ରହିବ । ଦିନ ୧୦ଟା ଯାଏଁ ଆହୁରି ୨,୩ ଦିନ କୁହୁଡ଼ି ଦେଖାଯିବ ।
କୁହୁଡ଼ିର ବହଳ ଆସ୍ତରଣ କାରଣରୁ ରାସ୍ତାର ୨୦ ରୁ ୩୦ମିଟର ଦୂରରୁ ଆସୁଥିବା ଗାଡ଼ି ମଟର ମଧ୍ୟ ଦେଖିବା କଷ୍ଟକର ହେଉଛି । ଫଳରେ ରାସ୍ତାରେ ଗାଡ଼ି ଚଳାଇବା ମଧ୍ୟ କଷ୍ଟ ହୋଇପଡ଼ିଛି । ଘନ କୁହୁଡ଼ି ଯୋଗୁଁ ସକାଳ ସମୟରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହେଉଛି । କିଛି ସ୍ଥାନରେ ସକାଳର ଆଂଶିକ ଶୀତୁଆ ପବନରେ ପ୍ରାତଃଭମଣ କରି ଚା ଖଟିରେ ମଜା ନେଉଛନ୍ତି ଲୋକେ ।