୧୭ରୁ ରାଜ୍ୟରେ ବଢ଼ିବ ଶୀତ

ଭୁବନେଶ୍ୱର: ରାଜ୍ୟରେ ୧୭ରୁ ଶୀତ ବଢ଼ିବା ନେଇ ପାଣିପାଗ ସୂଚନା ଦେଇଛି । ତେବେ ଆଜିଠାରୁ ୧୭ ପର୍ଯ୍ୟନ୍ତ ସକାଳେ ଘନ କୁହୁଡି ଦେଖାଯିବ । ଏହାପରେ ଶୀତର ମାତ୍ରା ବଢ଼ିବ ବୋଲି ଜଣାପଡିଛି ।

ପାଣିପାଗ ସୂଚନା ଅନୁସାରେ, ୧୫ତାରିଖ ସକାଳୁ ୧୭ତାରିଖ ସକାଳ ପର୍ଯ୍ୟନ୍ତ ଘନ କୁହୁଡ଼ି ପ୍ରଭାବ ରହିବ। ୧୫ତାରିଖରେ ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ସୁନ୍ଦରଗଡ଼, ଢେଙ୍କାନାଳ, କଟକ, ଯାଜପୁର, ଭଦ୍ରକ, କନ୍ଧମାଳ, ସୋନପୁର, ବଲାଙ୍ଗୀର, ବୌଦ୍ଧରେ ଘନ କୁହୁଡ଼ି ପଡ଼ିବ। ସେହିପରି ୧୬ ରେ ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ସୁନ୍ଦରଗଡ଼, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ପୁରୀ, ଯାଜପୁର, ଭଦ୍ରକ, ଜଗତସିଂହପୁର, କନ୍ଧମାଳ, କେନ୍ଦ୍ରାପଡ଼ା, ବାଲେଶ୍ୱରରେ ଏବଂ ୧୭ ରେ ନୟାଗଡ଼, ଖୋର୍ଦ୍ଧା, କଟକ, କନ୍ଧମାଳ, କୋରାପୁଟର କେତେକ ସ୍ଥାନରେ ଘନ କୁହୁଡ଼ି ପଡ଼ିବ। ଏପରିକି କେତେକ ସ୍ଥାନରେ ସଂଧ୍ୟା ପରଠାରୁ ଘନ କୁହୁଡ଼ି ପଡ଼ିବ, ଯାହା ପରଦିନ ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ରହିପାରେ।

ତେଣୁ ଗାଡ଼ି ଚାଳକମାନେ ରାସ୍ତାରେ ଯାତାୟତବେଳେ ସତର୍କତା ଅବଲମ୍ବନ କରିବା ଦରକାର। ଅପରପକ୍ଷେ ୧୫ ଓ ୧୬ତାରିଖରେ ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, କେନ୍ଦୁଝର, ଝାରସୁଗୁଡ଼ା, ମୟୂରଭଞ୍ଜରେ ସ୍ବଳ୍ପ ବର୍ଷା ହେବାର ସମ୍ଭାବନା ଅଛି। କିନ୍ତୁ ରାଜ୍ୟର ବାକି ସ୍ଥାନରେ ପାଗ ଶୁଖିଲା ରହିବ। ଏହାପରେ ୧୭ତାରିଖରୁ ରାଜ୍ୟରେ ଥଣ୍ଡା ପବନ ବହିବା ସହ ରାତିର ତାପମାତ୍ରା କମିବ ବୋଲି କୁହାଯାଇଛି। ଏପରିକି ଅଧିକାଂଶ ସ୍ଥାନରେ ପାରଦ ୨ରୁ ୪ଡିଗ୍ରି ପର୍ଯ୍ୟନ୍ତ କମିପାରେ।