ଦିଲ୍ଲୀ ହିଂସା; ମୃତ୍ୟୁ ସଂଖ୍ୟା ୪୨ରେ ପହଂଚିଲା

ନୂଆଦିଲ୍ଲୀ: ରବିବାରଠାରୁ ସିଏଏକୁ ନେଇ ଆରମ୍ଭ ହୋଇଥିବା ଦିଲ୍ଲୀ ହିଂସା ଥମିବାର ନାଁ ନେଉନି । ତେବେ ଏହି ହିଂସା କାରଣରୁ ଏବଯାତ୍ ୪୨ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ସ୍ଥିତିକୁ ସ୍ୱାଭାବିକ୍ କରିବା ଲାଗି ଘଟଣାସ୍ଥଳରେ ରିଜର୍ଭ ପୋଲିସ ବଳ, ସଶସ୍ତ୍ର ପୋଲି ବଳ, କେନ୍ଦ୍ରୀୟ ଔଦ୍ୟଗିକ ସୁରକ୍ଷା ବଳ ଫ୍ଲାଗ ମାର୍ଚ୍ଚ କରିଥିଲେ ।ଏହା ସହ ସ୍ଥିତିକୁ ଆୟତରେ ରଖିବା ପାଇଁ ଆଇଟିବିପି, ବିଏସଏଫ୍ ଏବଂ ସିଆରପିଏଫ୍ ସମେତ ଅର୍ଦ୍ଧସୈନିକ ବଳର ୪୫ଟି କମ୍ପାନିକୁ ମୁତୟନ କରାଯାଇଥିଲା। ତେବେ ମଙ୍ଗଳବାର ଦିଲ୍ଲୀରେ ଆରମ୍ଭ ହୋଇଥିବା ଉତେଜନାମୂଳକ ପରିସ୍ଥିତି  ଗତକାଲିଠାରୁ ଧିରେ ଧିରେ ଶାନ୍ତ ହୋଇଯାଇଥିଲେ ମଧ୍ୟ ବିଭିନ୍ନ ନାଳନର୍ଦ୍ଦମାରୁ ମୃତଦେହ ମିଳିବାରେ ଲାଗିଛି।

ପୁଣି ଥରେ ହିଂସା ଯେମିତି ଆରମ୍ଭ ନହେଉ ସେନେଇ ୭,୦୦୦ଅର୍ଦ୍ଧସୈନିକ ବଳ ଏବେ ମଧ୍ୟ ହିଂସା ହୋଇଥିବା ଅଂଚଳରେ ରହି ଲୋକଙ୍କ ଉପରେ ନଜର ରଖିଛନ୍ତି। ଏହା ସହ ଦିଲ୍ଲୀ ପୋଲିସ ଘଟଣାସ୍ଥଳକୁ ଯାଇ ଶାନ୍ତି ଫେରାଇ ଆଣିବାର ଚେଷ୍ଟା ଚଳାଇଥିବା ଜଣାପଡ଼ିଛି। ଅନ୍ୟ ପକ୍ଷରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ‌ସୋନିଆ ଗାନ୍ଧୀ ଏକ ୫ଜଣିଆ ଟିମ୍ ଗଠନ କରି ପୂର୍ବ ଦିଲ୍ଲୀରେ ହିଂସା ହୋଇଥିବା ସ୍ଥାନକୁ ପ୍ରତିନିଧି ମଣ୍ଡଳୀ ପଠାଇଛନ୍ତି। ସେମା‌ନେ ପ୍ରଭାବିତ ଅଂଚଳ ବୁଲି ହୋଇଥିବା କ୍ଷତିର ବିସ୍ତୃତ ରିପୋର୍ଟ ଆଣି ସୋନିଆ ଗାନ୍ଧିଙ୍କୁ ଦେବେ ବୋଲି ଜଣା ପଡ଼ିଛି।