ନୂଆଦିଲ୍ଲୀ: କରୋନା ଭାଇରସ୍ ଟିକା ନ ବାହାରିବା ପର୍ଯ୍ୟନ୍ତ ଦିଲ୍ଲୀରେ କୌଣସି ସ୍କୁଲ୍ ଖୋଲିବ ନାହିଁ। ଦିଲ୍ଲୀର ସ୍ବାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଗୁରୁବାର କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ଦିଲ୍ଲୀରେ ସ୍କୁଲ୍ ଖୋଲିବା ନେଇ କୌଣସି ଯୋଜନା ନାହିଁ। ଖୁବ୍ ଶୀଘ୍ର ଏକ ଟିକା ଉପଲବ୍ଧ ହେବ ବୋଲି ଆଶା କରାଯାଉଛି। ପରିସ୍ଥିତି ନିୟନ୍ତ୍ରଣକୁ ଆସିଛି ବୋଲି ନିଶ୍ଚିତ ନହେବା ଯାଏ ଦିଲ୍ଲୀରେ ସ୍କୁଲ୍ ଖୋଲିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।
ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ବୁଧବାର ଦିଲ୍ଲୀରେ ୬୧ ହଜାର କରୋନା ନମୁନା ପରୀକ୍ଷଣ ଫଳାଫଳ ବାହାରିଥିଲା। ସେଥିରୁ ପଜିଟିଭ୍ ବାହାରିଥିଲା ୫ ହଜାରରୁ ଅଧିକ। ଦିଲ୍ଲୀରେ ପଜିଟିଭ୍ ହାର ୮.୪୯ ପ୍ରତିଶତକୁ ହ୍ରାସ ପାଇଥିଲା। ନଭେମ୍ବର ୭ ତାରିଖରେ ଦିଲ୍ଲୀରେ ପଜିଟିଭ୍ ହାର ସର୍ବାଧିକ ୧୫.୨ ପ୍ରତିଶତ ରହିଥିଲା।
୧୦ ଦିନ ତଳେ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ସହ ହୋଇଥିବା ଏକ ବୈଠକ ପରେ ସରକାର ଏବେ ପରୀକ୍ଷଣ(ବିଶେଷ କରି ଆର୍ଟି-ପିସିଆର୍) ବୃଦ୍ଧି କରାଇବା ପାଇଁ ଚିନ୍ତା କରୁଛନ୍ତି। ଏହାବ୍ୟତୀତ ସରକାର ଗବେଷକମାନଙ୍କୁ କେଉଁ କାରଣରୁ ସଂକ୍ରମିତଙ୍କର ବେଶି ମୃତ୍ୟୁ ଘଟୁଛି ଓ କ’ଣ କଲେ ମୃତ୍ୟୁ ହାର କମ୍ କରାଯାଇ ପାରିବ ବୋଲି ଚିନ୍ତା କରିବାକୁ ପରାମର୍ଶ ଦେଇଛନ୍ତି। ଆପଣ ଜାଣିଥିବେ ନିଶ୍ଚୟ ଯେ ସହରରେ ଗତ ୧୦ ଦିନ ମଧ୍ୟରେ ଦିନକୁ ପ୍ରାୟ ୧୦୦ରୁ ଅଧିକ କରୋନାଜନିତ ମୃତ୍ୟୁ ରିପୋର୍ଟ ହେଉଛି।