କେଜ୍ରିୱାଲ ଓ ୧୧ ଆପ୍ ବିଧାୟକଙ୍କୁ କୋର୍ଟ ସମନ

ନୂଆଦିଲ୍ଲୀ : ଦିଲ୍ଲୀର ମୁଖ୍ୟ ଶାସନ ସଚିବ ଅଂଶୁ ପ୍ରକାଶଙ୍କୁ ମାଡ଼ ଘଟଣାରେ ସ୍ଥାନୀୟ ଅଦାଲତ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଓ ଆମ୍ ଆଦ୍ମୀ ପାର୍ଟି (ଆପ୍)ର ୧୧ ଜଣ ବିଧାୟକଙ୍କୁ ସମନ ଜାରି କରିଛି । ଗତ ଫେବୃଆରୀ ୧୯ ରାତିରେ କେଜ୍ରିୱାଲଙ୍କ ସରକାରୀ ବାସଭବନରେ ପ୍ରକାଶଙ୍କୁ ମାଡ଼ ହୋଇଥିବା ଅଭିଯୋଗ ହୋଇଥିଲା । ଅତିରିକ୍ତ ମୁଖ୍ୟ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ୍ ସମର ବିଶାଲ ଦିଲ୍ଲୀ ପୁଲିସ ପକ୍ଷରୁ ଏ ସମ୍ପର୍କରେ ଚାର୍ଜଶିଟ୍ ଉପରେ ଏହି ସମନ ଜାରି କରିଛନ୍ତି । ଦିଲ୍ଲୀ ପୁଲିସ ଗତ ଅଗଷ୍ଟ ୧୩ରେ ଏମାନଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ଅକ୍ଟୋବର ୨୫ରେ କୋର୍ଟରେ ହାଜର ହେବାକୁ ଏମାନଙ୍କୁ କୁହାଯାଇଛି । ଚାର୍ଜଶିଟ୍ରେ କେଜ୍ରିୱାଲ ଓ ସିସୋଡିଆଙ୍କ ବ୍ୟତୀତ ଯେଉଁ ୧୧ ବିଧାୟକଙ୍କ ନାମ ରହିଛି, ସେମାନେ ହେଲେ ଅମାନତୁଲ୍ଲା ଖାନ୍, ପ୍ରକାଶ ଝାରୱାଲ, ନୀତୀନ ତ୍ୟାଗୀ, ଋତୁରାଜ ଗୋବିନ୍ଦ, ସଞ୍ଜୀବ ଝା, ଅଜୟ ଦତ୍ତ, ରାଜେଶ ରିଷୀ, ରାଜେଶ ଗୁପ୍ତା, ମଦନ ଲାଲ୍, ପ୍ରବୀଣ କୁମାର ଓ ଦିନେଶ ମହାନିଆ । ଏମାନଙ୍କ ବିରୋଧରେ ଦିଲ୍ଲୀ ପୁଲିସ ୧୩୦୦ ପୃଷ୍ଠାର ଚାର୍ଜଶିଟ୍ ଦାଖଲ କରିଛି ।