ପୁଣିଥରେ ଦିଲ୍ଲୀ-ଏନସିଆରରେ ଭୂ-କମ୍ପ

ନୂଆଦିଲ୍ଲୀ: ଆଜି ପୁଣିଥରେ ଦିଲ୍ଲୀ-ଏନସିଆରରେ ଭୂ-କମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂ-କମ୍ପର ତୀବ୍ରତା ୨.୭ ଥିଲା ବୋଲି ଭାରତ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ କୁହାଯାଇଛି । ପାଣିପାଗ ବିଭାଗ ଅନୁଯାୟୀ ସୋମବାର ଅପରାହ୍ନ ୧.୨୬ମିନିଟ ସମୟରେ କମ୍ପନ ଅନୁଭୂତ ହୋଇଥିଲା। ଭୂ-କମ୍ପର କେନ୍ଦ୍ରସ୍ଥଳ ଦିଲ୍ଲୀ ଥିଲା ବୋଲି ଜଣା ପଡିଛି।

ତେବେ ତୀବ୍ରତା କମ ଥିବାରୁ କୌଣସି କ୍ଷୟକ୍ଷତି ହୋଇନଥିବା ନେଇ ଖବର ମିଳିଛି । କିନ୍ତୁ କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଭୂ-କମ୍ପକୁ ନେଇ ଲୋକମାନେ ଚିନ୍ତିତ ଅଛନ୍ତି। ଭୂ-କମ୍ପକୁ ନେଇ ଲୋକମାନେ ଆତଙ୍କିତ ଅବସ୍ଥାରେ ଥିବା ଜଣା ଯାଇଛି। ଏହାପୂର୍ବରୁ ରବିବାର ଦିନ ଦିଲ୍ଲୀ-ଏନସିଆରରେ ଭୂ-କମ୍ପ ଅନୁଭୂତ ହୋଇଥିଲା। ଅପରାହ୍ନ ୫.୪୫ରେ ୩.୫ ମ୍ୟାଗ୍ନିଚ୍ୟୁଡର ଭୂ-କମ୍ପ ଅନୁଭୂତ ହୋଇଥିଲା। ଗତକଲି ଅନୁଭୂତ ଭୂ-କମ୍ପର କେନ୍ଦ୍ର ଅକ୍ଷାଂଶ ୨୮.୭ ଉତର ଏବଂ ଦ୍ରାଘିମା ୭୭.୨ ପୂର୍ବରେ ଅବସ୍ଥିତ ଥିଲା । ଲୋକ ଭୟଭୀତ ହୋଇ ଘରୁ ବାହାରି ଆସିବା ସହ ଚିତ୍କାର କରିବାକୁ ଲାଗିଥିଲେ । ତେବେ ଦୁଇଥର ଭୂ-କମ୍ପ ଅନୁଭୂତ ହୋଇଥିଲେ ମଧ୍ୟ କୌଣସି କ୍ଷତି ହୋଇନଥିବା ସୂଚନା ରହିଛି।