ଚିଦାମ୍ବରମଙ୍କ ଜାମିନ ଆବେଦନ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ଦୁର୍ନୀତିରେ ଜେଲରେ ବନ୍ଦୀ ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି.ଚିଦାମ୍ବରମଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଆଶ୍ଵସ୍ତି ମିଳିନାହିଁ। ସୋମବାର ହାଇକୋର୍ଟ ପୂର୍ବତନ ଅର୍ଥମନ୍ତ୍ରୀଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି। ସିବିଆଇ ଚିଦାମ୍ବରମଙ୍କୁ ଜାମିନ ଦିଆଯିବାକୁ କୋର୍ଟରେ ବିରୋଧ କରିଥିଲା। ସୋମବାର ହାଇକୋର୍ଟ  କହିଛନ୍ତି ଯେ ଚିଦାମ୍ବରମଙ୍କୁ ଜାମିନ ଦେଲେ ତଥ୍ୟ ପ୍ରମାଣ ନଷ୍ଟ ନହେଲେ ବି ସାକ୍ଷୀଙ୍କୁ ପ୍ରଭାବିତ କରିବାର ସମ୍ଭାବନା ଅଧିକ ରହିଛି। ଏବେ ଚିଦାମ୍ବରମ ତିହାର ଜେଲରେ ବନ୍ଦୀ ଅଛନ୍ତି ଏବଂ ଏବେ ଜାମିନ ଖାରଜ ହେବାରୁ ତାଙ୍କୁ ଜେଲରେ ହଁ ରହିବାକୁ ପଡ଼ିବ। 

ଉଲ୍ଲେଖଯୋଗ୍ୟ, ଚିଦାମ୍ବରମଙ୍କୁ ସିବିଆଇ ଅଗଷ୍ଟ ୨୧ରେ ଗିରଫ କରିଥିଲା। ସିବିଆଇ ଓ ଇଡି ଆଇଏନଏକ୍ସ ମିଡିଆର ପ୍ରମୋଟର ଇନ୍ଦ୍ରାଣୀ ମୁଖାର୍ଜୀ ଏବଂ ତାଙ୍କ ସ୍ଵାମୀ ପିଟର ମୁଖାର୍ଜୀଙ୍କ ବୟାନ ଆଧାରରେ ଚିଦାମ୍ବରମଙ୍କ ବିରୋଧରେ ଏଫଆଇଆର ରୁଜୁ କରିଥିଲା। ତଦନ୍ତ ଜାରି ରହିଛି ଏବଂ ମାମଲାରେ ଅନିୟମିତତା ହୋଇଥିବା ଜଣା ପଡ଼ିଛି। ୩୦୫ କୋଟି ଟଙ୍କାର ବିଦେଶୀ ମୁଦ୍ରା ହାସଲ ପାଇଁ ୨୦୦୭ରେ ଆଇଏନଏକ୍ସ ମିଡିଆ ଗ୍ରୁପକୁ ନିବେଶ ସମ୍ବର୍ଦ୍ଧନ ବୋର୍ଡର ମଞ୍ଜୁରୀରେ ଅନିୟମିତତା କରାଯାଇଥିଲା। ସେହି ସମୟରେ ପି. ଚିଦାମ୍ବରମ ଦେଶର ଅର୍ଥମନ୍ତ୍ରୀ ଥିଲେ।

ସିବିଆଇ ଗତ ଶୁକ୍ରବାର ଚିଦାମ୍ବରମ ଜାମିନ ଆବେଦନକୁ ବିରୋଧ କରି କହିଥିଲା ଯେ ଜାମିନ ମିଳିଲେ ସେ ଦେଶ ଛାଡ଼ି ପଳାୟନ କରି ପାରନ୍ତି। ତର୍କ ଏହା ଥିଲା ଯେ ଚିଦାମ୍ବରମ ସବୁ ଦିନ ପାଇଁ କୌଣସି ଅନ୍ୟ ଦେଶରେ ରହି ପାରନ୍ତି। ତେଣୁ ଏମିତି ସ୍ଥିତିରେ ଶୁଣାଣି ପୂରା ନହେବା ପର୍ଯ୍ୟନ୍ତ ତାଙ୍କୁ ଜାମିନ ଦିଆଯିବା ଉଚିତ୍ ନୁହଁ।