ନିର୍ଭୟା ଗଣଦୁଷ୍କର୍ମ ମାମଲା: ଦୋଷୀ ପବନଙ୍କ ଯାଚିକାର ଶୁଣାଣି ୨୪ରେ ନ ହୋଇ ଆଜି ହେବ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ମାମଲାକୁ ନେଇ ଅନ୍ୟ ଅଭିଯୁକ୍ତ ପବନ କୁମାର ଗୁପ୍ତା କରିଥିବା ଯାଚିକାର ଶୁଣାଣୀ ୨୪ରେ ହେବ ବୋଲି ଦିଲ୍ଲୀ ହାଇକୋର୍ଟ ଜଣାଇଥିଲେ । ମାତ୍ର ଦିଲ୍ଲୀ ହାଇକୋର୍ଟ ପୁଣିଥରେ ନିଜ ଆଦେଶକୁ ପ୍ରତ୍ୟାହାର କରି ଏହାର ଶୁଣାଣି ଆଜି କରିବେ ବୋଲି କହିଛନ୍ତି ।

ନିର୍ଭୟା ଗଣଦୁଷ୍କର୍ମ ମାମଲାର ଦୋଷୀ ପବନ କୁମାର ଗୁପ୍ତା ସାତ ବର୍ଷ ପୂର୍ବରୁ ଅର୍ଥାତ ୨୦୧୨ ଘଟିଥିବା ଘଟଣା ସମୟରେ ନାବାଳକ ଥିବା ଦାବୀ କରି ସେ ସଂକ୍ରାନ୍ତ ସଦ୍ୟ କାଗଜପତ୍ର ଦାଖଲ କରିବାକୁ ଓକିଲ ସମୟ ମାଗିଥିଲେ।

ଅପରାଧ ତାରିଖ ଦିନ ସେ ନାବାଳକ ଥିଲେ। ତେଣୁ ତାଙ୍କ ପ୍ରତି ‘ଜୁଭେନାଇଲ୍‌ ଜଷ୍ଟିସ୍‌’ ଆଇନ୍‌ ଅନୁଯାୟୀ ଦଣ୍ଡବିଧାନ ହେଉ ବୋଲି ଦାବି କରି ବୁଧବାର ଦିନ ପବନ କୁମାର ଗୁପ୍ତ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ। ବୟସ ଜାଣିବାକୁ ତଦନ୍ତକାରୀ ଅଧିକାରୀ ତାଙ୍କର ହାଡ଼ ପରୀକ୍ଷା କରାଇ ନ ଥିବାରୁ ଆଇନ ଅନୁସାରେ, ତାଙ୍କୁ ‘ବେନିଫିଟ୍‌ ଅଫ୍‌ ଡାଉଟ୍‌’ରେ ଛାଡ଼ କରାଯାଉ ବୋଲି ସେ ନିବେଦନ କରିଥିଲେ।

ସେ ନାବାଳକ ଥିଲେ କି, ନାହିଁ ସ୍ଥିର କରିବାକୁ ତାଙ୍କର ହାଡ଼ ପରୀକ୍ଷା ପାଇଁ ଆଦେଶ ଦିଆଯାଉ ବୋଲି ସେ ଆବେଦନ ପତ୍ରରେ ଉଲ୍ଲେଖ କରିଥିଲେ।