ମହିଳାଙ୍କୁ ‘ମାଗଣା ଯାତ୍ରା’ ଯୋଜନାରେ ଦିଲ୍ଲୀ ମେଟ୍ରୋର କ୍ଷତି ନେଇ ପ୍ରଶ୍ନ ଉଠାଇଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ମେଟ୍ରୋରେ ସବୁ ବର୍ଗର ମହିଳାମାନେ ମାଗଣା ଯାତ୍ରା କରିପାରିବେ ବୋଲି ସ୍ଥାନୀୟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘୋଷଣାର ଭବିଷ୍ୟତକୁ ନେଇ ଏବେ ଆଶଙ୍କା ସୃଷ୍ଟି ହୋଇଛି। କାରଣ ସୁପ୍ରିମ୍‌କୋର୍ଟ ଏବେ ରୋକ୍‌ଠୋକ୍‌ ଶୁଣାଇ ଦେଇଛନ୍ତି, ତାଙ୍କର ଏହି ଯୋଜନା ପାଇଁ ଦିଲ୍ଲୀ ମେଟ୍ରୋ ଯେପରି କୌଣସି କ୍ଷତି ସହିବ ନାହିଁ। କୋର୍ଟ କହିଛନ୍ତି, ସରକାର ଲୋକଙ୍କ ଟଙ୍କାର ସଠିକ୍‌ ଉପଯୋଗ କରୁ ଏଭଳି ମାଗଣା ଯୋଜନାରୁ ନିବୃତ୍ତ ରହୁ।

କୋର୍ଟ କହିଛନ୍ତି, ୧୦୩.୯୪ କିଲୋମିଟର ଦୀର୍ଘ ଏହି ମେଟ୍ରୋରେ ଯଦି ଏହି ପ୍ରକଳ୍ପ କାରଣରୁ କୌଣସି କ୍ଷତି ହୁଏ ତାହା ସରକାର ଭରଣା କରିବେ।

କୋର୍ଟ କହିଥିଲେ, ଦିଲ୍ଲୀ ସରକାରଙ୍କୁ ନିଶ୍ଚିତ ହେବାକୁ ପଡ଼ିବ ଯେ ଦିଲ୍ଲୀ ମେଟ୍ରୋ ରେଲ କର୍ପୋରେସନ୍‌ର ଆର୍ଥିକ ବ୍ୟବସ୍ଥା ଯେପରି ପ୍ରଭାବିତ ନହୁଏ। ଏଭଳି କୌଣସି ପଦକ୍ଷେପ ନ ନିଆଯାଉ ଯାହାକି କ୍ଷତି ପାଇଁ ଦାୟୀ ହେବ। କୋର୍ଟ କିନ୍ତୁ ନିର୍ଦ୍ଦେଶ ଦେଇଛନ୍ତି, କେନ୍ଦ୍ର ଏବଂ ଦିଲ୍ଲୀ ସରକାର ଏହି ରେଳ ପ୍ରକଳ୍ପର ଜମି ପାଇଁ ଅଧା ଅଧା ଖର୍ଚ୍ଚ ବହନ କରିବେ।