ଆଜିଠାରୁ ଡିଟିସି ବସ୍‌ରେ ମାଗଣାରେ ଯିବେ ମହିଳା

ନୂଆଦିଲ୍ଲୀ:ଦିଲ୍ଲୀ ସରକାର ମହିଳାମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛନ୍ତି । ମଙ୍ଗଳବାରଠାରୁ ଡିଟିସି ବସ୍‌ରେ ମହିଳାମାନେ ବିନା ଶୁଳ୍କରେ ଯାତ୍ରା କରୁଛନ୍ତି । ଏହା ସହିତ ଆଜି ଡିଟିସି ବସ୍‌ର ଉଭୟ ଏସି ଓ ନନ୍‌ ଏସି ପାଇଁ ମହିଳାଙ୍କୁ ସିଙ୍ଗଲ ଜର୍ନୀ ଟ୍ରାଭେଲ୍‌ ପାସ୍‌ ଜାରି କରାଯିବ । ଏହା ସହିତ ମହିଳାମାନେ ବସ୍‌ରେ ଯାତ୍ରାପାଇଁ ଟିକେଟ୍‌ ମଧ୍ୟ କିଣି ପାରିବେ । ଏହି ନିୟମ ଆଜିଠାରୁ ଲାଗୁ ହୋଇଛି । 

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଙ୍ଗଳବାର ତ୍ୟାଗରାଜ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ସିଭିଲ୍‌ ଡିଫେନ୍ସ କର୍ମୀମାନଙ୍କ ବସ୍‌ ମାର୍ଶଲ୍‌ ପ୍ରଶିକ୍ଷଣ କାର୍ୟ୍ୟ କ୍ରମରେ ଯୋଗଦେଇଛନ୍ତି । ଦିଲ୍ଲୀବାସୀ ଗୋଟିଏ ପରିବାର ଭଳି ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି । ଆଉ ସେ ଏହି ପରିବାରର ବଡ଼ ପୁଅ ଅଟନ୍ତି । ସେଥିପାଇଁ ମହିଳାମାନଙ୍କ ସୁରକ୍ଷା ପାଇଁ ଅଧିକ ଚିନ୍ତିତ ରହୁଛି । ଏହି ପ୍ରଶିକ୍ଷଣରୁ ୧୩୦୦୦ ମାର୍ଶଲ୍‌ ବାହାରିବେ ଯେଉଁମାନଙ୍କୁ ବସ୍‌ରେ ନିୟୋଜିତ କରାଯିବ । ଏମାନଙ୍କ ମଧ୍ୟରେ ୬ ହଜାର ସିଭିଲ୍‌ ଡିଫେନ୍ସ କର୍ମୀ ଓ ୭ ହଜାର ପୂର୍ବତନ ହୋମଗାର୍ଡ ରହିଛନ୍ତି । ପୂର୍ବରୁ ଏହି ସଂଖ୍ୟା ୩୪୦୦ ଥିଲା । ଏମାନଙ୍କର ଡ୍ୟୁଟି ସମୟ ସିଫ୍ଟ ଅନୁସାରେ କରାଯିବ । ଏହି ମାର୍ଶଲମାନେ ବସ୍‌ରେ ସମସ୍ତ ପ୍ରକାର ବିପଦକୁ ସାମ୍ନାକୁ ପ୍ରସ୍ତୁତ ରହିବେ । ରୋଗୀଙ୍କୁ ସାହାଯ୍ୟ ମଧ୍ୟ କରିବେ । ଆଜିଠାରୁ ମହିଳାମାନଙ୍କ ବସ୍‌ ଯାତ୍ରାର ଭଡ଼ା ଏ ଭାଇ ଦେବ ବୋଲି କେଜ୍ରିୱାଲ କହିଛନ୍ତି । 

ଚଳିତ ସ୍ୱାଧିନତା ଦିବସରେ କେଜ୍ରିୱାଲ ବସ୍‌ରେ ମହିଳାମାନଙ୍କ ମାଗଣା ଯାତ୍ରା ପାଇଁ ଘୋଷଣା କରିଥିଲେ । ଏହି ସୁବିଧା ଦ୍ୱାରା ଦିଲ୍ଲୀରେ ୪୦ ହଜାର ମହିଳା ଉପକୃତ ହେବେ । ଏଥିପାଇଁ ଦିଲ୍ଲୀ ସରକାର ଚଳିତ ବର୍ଷ ୭୦୦ କୋଟି ଟଙ୍କା ବ୍ୟୟ ଭାର ବହନ କରିବେ ।