ଦିଲ୍ଲୀରେ ଅଗ୍ନିକାଣ୍ଡ;୩ ଅଗ୍ନିଶମ କର୍ମଚାରୀ ଆହତ

ନୂଆଦିଲ୍ଲୀ: ନୂଆଦିଲ୍ଲୀର ନରେଲା ଶିଳ୍ପାଂଚଳରେ ଥିବା ୨ଟି ଜୋତା କାରଖାନାରେ ଅଗ୍ନିକାଣ୍ଡ ଘଟିଛି । ଫଳରେ ଏଥିରେ ୩ଜଣ ଅଗ୍ନିଶମ କର୍ମଚାରୀ ଆହତ ହୋଇଛନ୍ତି ।

ପ୍ରକାଶ ଯେ, ଆଜି ଭୋର ସମୟରେ ନରେଲା ଶିଳ୍ପାଂଚଳରେ ଥିବା ୨ଟି ଜୋତା କାରଖାନାରେ ନିଆଁ ଲାଗିଥିଲା। ସେଠାରେ ନିଆଁ ଲିଭାଇବା କାର୍ଯ୍ୟରେ ୨୨ଟି ଦମକଳ ଗାଡ଼ି ନିୟୋଜିତ କରାଯାଇଥିବାର ଖବର ମିଳିଛି । ଗୋଟିଏ କାରଖାନାରେ ନିଆଁ ସମ୍ପୂର୍ଣ୍ଣ ବ୍ୟାପି ଯାଇଥିବା ବେଳେ ଅନ୍ୟ କାରଖାନାରେ ଅଗ୍ନିଶମ ବାହିନୀ ନିଆଁ ଲିଭା କାର୍ଯ୍ୟ ଜାରି ରଖିଛନ୍ତି । ନିଆଁଲିଭା କାର୍ଯ୍ୟରେ ନିୟୋଜିତ ୩ ଜଣ ଅଗ୍ନିଶମ କର୍ମଚାରୀ ଆହତ ହୋଇଥିବାର ଖବର ମିଳିଛି ।
ଏଯାବତ୍ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। କିନ୍ତୁ ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ ହୋଇଛି ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଗତ ରବିବାର ଦିନ ଅଗ୍ନିକାଣ୍ଡରେ ୯ ଜଣଙ୍କର ମୃତ୍ୟୁ ଘଟିଥିଲା । ସେହିଭଳି କିଛି ଦିନ ପୂର୍ବରୁ ନୂଆଦିଲ୍ଲୀର ଶାଲିମାରବାଗ ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ଏଥିରେ ୪ ଜଣ ଲୋକ ଆହତ ହୋଇଥିଲେ । ଦିଲ୍ଲୀରେ ବାରମ୍ବାର ଅଗ୍ନିକାଣ୍ଡ ଘଟୁଥିଲେ ମଧ୍ୟ ପ୍ରଶାସନ ଏଥିପ୍ରତି ଧ୍ୟାନ ଦେଉନଥିବାର ଅଭିଯୋଗ ହେଉଛି।