ନିର୍ଭୟା ମାମଲା: ମାର୍ଚ୍ଚ ୩ ସକାଳ ୬ଟାରେ ଫାଶୀଖୁଂଟରେ ଝୁଲିବେ ୪ ଦୋଷୀ

ନୂଆଦିଲ୍ଲୀ: ନିର୍ଭୟା ମାମଲାର ୪ ଦୋଷୀ ମାର୍ଚ୍ଚ ୩ ସକାଳେ ୬ଟା ଫାଶୀଖୁଂଟରେ ଝୁଲିବେ । ଏନେଇ ଆଜି ଦିଲ୍ଲୀର ପଟିଆଲା ହାଉସ ଅଦାଲତ ପକ୍ଷରୁ ନୂତନ “ଡେଥ୍ ୱାରେଂଟ” ଜାରି କରିଛନ୍ତି ।

ସୂଚନାଯୋଗ୍ୟ, ଗତ ବୁଧବାର ଦିନ ନୂତନ “ଡେଥ୍ ୱାରେଂଟ” ଜାରି ପାଇଁ ଆଗତ କରା ଯାଇଥିବା ଏହି ମାମଲାର ଶୁଣାଣିକୁ ଆଜି ଅଦାଲତ ଶେଷ କରିବା ସହ ରାୟକୁ ସଂରକ୍ଷିତ ରଖିଥିଲେ। ଆଜି ଅପରାହ୍ଣରେ ବିଚାରପତି ଏହି ସଂରକ୍ଷିତ ରାୟକୁ ଘୋଷଣା କରିବା ସହ ଏହି ନୂତନ “ଡେଥ୍ ୱାରେଂଟ” ଜାରି କରିଛନ୍ତି।

ଏହି ମାମଲାର ଶୁଣାଣି କାଳରେ ଅନ୍ୟତମ ଦୋଷୀ ପୱନ ଗୁପ୍ତା ଆଜିର ଶୁଣାଣି କାଳରେ ଅଦାଲତଙ୍କୁ କହିଥିଲା ଯେ ସେ ସୁପ୍ରିମ୍‌ କୋର୍ଟରେ କ୍ୟୁରେଟିଭ୍‌ ପିଟିସନ୍‌ ଆଗତ କରିବାକୁ ଚାହୁଁଛି। ତେବେ, ଅଦାଲତ କହିଥିଲେ ଯେ ଦିଲ୍ଲୀ ହାଇକୋର୍ଟ ଦୋଷୀମାନଙ୍କୁ ସେମାନଙ୍କୁ ନିକଟରେ ଉପଲବ୍ଧ ରହିଥିବା ସମସ୍ତ ନ୍ୟାୟିକ ପ୍ରକ୍ରିୟାକୁ ଶେଷ କରିବାକୁ ୭ ଦିନର ଯେଉଁ ସମୟ କଂଟ ଦେଇଥିଲେ ତାହା ଗତ ଫେବ୍ରୁଆରି ୧୨ ତାରିଖରେ ଶେଷ ହୋଇ ଯାଇଛି। ତେଣୁ, ସେମାନଙ୍କର ଆଉ କୌଣସି ପ୍ରକାରର ଆବେଦନକୁ ବିଚାର ପାଇଁ ଗ୍ରହଣ କରାଯାଇ ପାରିବ ନାହିଁ ବୋଲି ବିଚାରପତି କହିବା ସହ ଏହି ନୂତନ “ଡେଥ୍ ୱାରେଂଟ” ଜାରି କରିଥିଲେ।