୧୩ଦିନରେ ଦିଲ୍ଲୀ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ଆମରଣ ଅନଶନ: ଅସୁସ୍ଥ ଯୋଗୁଁ ହସ୍ପିଟାଲରେ ଭର୍ତି

ଦୁଷ୍କର୍ମକାରୀଙ୍କୁ ୬ ମାସ ମଧ୍ୟରେ ଫାଶୀ ଦଣ୍ଡ ଦେବାକୁ ଦାବି

ନୂଆଦିଲ୍ଲୀ: ହାଇଦ୍ରାବାଦ ଓ ଉନ୍ନାଓ ଘଟଣା ପରେ ଦୁଷ୍କର୍ମକାରୀଙ୍କୁ ଫାଶୀ ଦଣ୍ଡ ଦେବା ପାଇଁ ଦିଲ୍ଲୀ ମହିଳା ଆୟୋଗ ଅଧ୍ୟକ୍ଷା ସ୍ୱାତୀ ମାଲିୱାଲ ଗତ ୧୩ଦିନ ଧରି ଆମରଣ ଅନଶନରେ ବସିଥିଲେ । ତେବେ ଗତକାଲି ତାଙ୍କ ଶରୀର ଅସୁସ୍ଥ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି ।

ଡାକ୍ତରଙ୍କ କହିବା ଅନୁଯାୟୀ, ନିୟମିତ ଭାବେ ଭୋକରେ ରହି ସ୍ୱାତୀଙ୍କର ଓଜନ ୮ କିଲୋ ହ୍ରାସ ପାଇଛି । ସେ ବହୁତ ଦୁର୍ବଳ ହୋଇଯାଇଛନ୍ତି । ସ୍ୱାତୀଙ୍କୁ ଲୋକନାୟକ ଜୟପ୍ରକାଶ ନାରାୟଣ ହସ୍ପିଟାଲରେ ଭର୍ତି କରାଯାଇଛି । ଦୁଇ ଦିନ ତଳେ ମେଡିକାଲ ଯାଞ୍ଚରେ ସ୍ୱାତିଙ୍କ ରକ୍ତଚାପ ୯୨/୭୦, ସୁଗର ୬୭, ଓଜନ ୫୭ କିଲୋ ଓ ପଲ୍ସ ୯୦ ରେକର୍ଡ କରାଯାଇଥିଲା । 

ସୂଚନାଯୋଗ୍ୟ ଯେ, ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ଜଣେ ମହିଳା ପଶୁଡାକ୍ତରଙ୍କ ସହ ଗଣଦୁଷ୍କର୍ମ ଓ ହତ୍ୟା ପରେ ଉନ୍ନାଓ ଗଣଦୁଷ୍କର୍ମ ପୀଡ଼ିତାଙ୍କ ନିଆଁ ଲଗାଇ ହତ୍ୟା କରାଯାଇଥିଲା । ଏହି ଘଟଣା ପରେ ସ୍ୱାତୀ ଆମରଣ ଅନଶନରେ ବସିଥିଲେ । ଗତ ବର୍ଷ ମଧ୍ୟରେ ମହିଳା ସୁରକ୍ଷାକୁ ପ୍ରସଙ୍ଗ କରି ଅନଶନ କରିଥିଲେ । ସେହି ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ଦୁଷ୍କର୍ମ ମାମଲାରେ ଦୋଷୀଙ୍କୁ ୬ ମାସ ମଧ୍ୟରେ ଫାଶୀ ମିଳୁ ବୋଲି ଦାବି କରିଥିଲେ ।