ଅରବିନ୍ଦ କେଜ୍ରିୱାଲ ଗିରଫ

ଗିରଫ ହେଲେ ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏବଂ ଆମ୍ ଆଦାମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଛି  ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।କିଛି ଘଣ୍ଟା ଧରି ଘରେ ଇଡି ଟିମ ତାଙ୍କୁ ପଚରାଉଚରା କରିବା ପରେ ଗିରଫ କରିଥିବା ସୂଚନା ମିଳିଛି । ଦିଲ୍ଲୀର ଚର୍ଚ୍ଚିତ ଅବକାରୀ ନୀତି ଦୁର୍ନୀତିରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଇଡି ଟିମ୍ ଅରବିନ୍ଦ କେଜ୍ରିୱାଲଙ୍କ ଘରେ ପହଞ୍ଚିଥିଲା ।

ଟିମ ପ୍ରଥମ ସିଏମଙ୍କ ଘରେ ଯାଞ୍ଚ କରିଥିଲା ଏବଂ ପରେ ପଚରାଉଚରା କରିଥିଲା । ଘର ଭିତରେ କେଜ୍ରିୱାଲଙ୍କୁ ପଚରାଉଚରା କରାଯାଇଥିବା ବେଳେ ବାହାରେ ଆମ ଆଦମୀ ପାର୍ଟିର କାର୍ଯ୍ୟକର୍ତ୍ତା ଏକାଠି ହୋଇ ପ୍ରଦର୍ଶନ କରୁଥିଲେ । ଉଲ୍ଲେଖଯୋଗ୍ୟ ଯେ ଅରବିନ୍ଦ କେଜ୍ରିୱାଲ ଆଜି ଇଡିର ୯ମ ସମନରେ ବି ହାଜର ହୋଇ ନଥିଲେ ।

ସ୍ଥିତିର ଗମ୍ଭୀରତାକୁ ଦେଖି ମୁଖ୍ୟମନ୍ତ୍ରୀଙ୍କ ଘର ବାହାରେ ପୋଲିସ ଧାରା ୧୪୪ ଲାଗୁ କରିଛି । ଏହାସହ ପୋଲିସ ଆରପିଏଫ ମଧ୍ୟ ମୁତୟନ କରିଛି । ଅନ୍ୟପଟେ ବ୍ୟାରିକେଡିଂ ମଧ୍ୟ କରାଯାଇଛି । ବହୁ ସଂଖ୍ୟାରେ ପୋଲିସ ବଳ ମୁତୟନ କରାଯାଇଛି । କୌଣସି ଅପ୍ରତିକର ଘଟଣାକୁ ଏଡାଇବା ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି । ସିଏମ୍ କେଜ୍ରିୱାଲଙ୍କ ଘରଠାରୁ କିଛି ମିଟର ଦୂରରେ ବ୍ୟାରିକେଡିଂ କରାଯାଇଛି ।

ଆପ୍ କାର୍ଯ୍ୟକର୍ତ୍ତା ରାସ୍ତାରେ ବସି ପ୍ରଦର୍ଶନ କରୁଛନ୍ତି । ଅରବିନ୍ଦ କେଜ୍ରିୱାଲଙ୍କ ଘର ବାହାରେ ଆପ୍ ନେତା ସୌରଭ ଭରଦ୍ୱାଜ, ଦୁର୍ଗେଶ ପାଠକ, ପୂର୍ବ ଦିଲ୍ଲୀରୁ ବିଧାୟକ ତଥା ଲୋକସଭା ପ୍ରାର୍ଥୀ କୁଳଦୀପ କୁମାର ପହଞ୍ଚିଛନ୍ତି । ଦିଲ୍ଲୀ ମେୟର ଶୈଲୀ ଓବେରୟ ମଧ୍ୟ ସିଏମଙ୍କ ଘର ବାହାରେ ଅଛନ୍ତି । ଦିଲ୍ଲୀ ସରକାରରେ ମନ୍ତ୍ରୀ ଆତିଶୀ କହିଛନ୍ତି ଯେ ଯଦି କେଜ୍ରିୱାଲଙ୍କୁ ଗିରଫ କରାଯାଏ, ତେବେ ପୂରା ଦିଲ୍ଲୀ ରାସ୍ତାକୁ ଓହ୍ଲାଇ ଆସିବ ।

ଉଲ୍ଲେଖଯୋଗ୍ୟ ଯେ ଗୁରୁବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ ଦିଲ୍ଲୀ ହାଇକୋର୍ଟରୁ ବଡ଼ ଝଟକା ଲାଗିଥିଲା । ମୁଖ୍ୟମନ୍ତ୍ରୀ କେଜରିଓ୍ବାଲଙ୍କ ଯାଚିକା ଉପରେ ଶୁଣାଣି ପରେ କୋର୍ଟ ତାଙ୍କୁ ଆଶ୍ବସ୍ତି ଦେବାକୁ ମନାକରିଥିଲେ । ଏକ ଯାଚିକା ଦାଖଲ କରି ପଚରାଉଚରା ସମୟରେ ଗିରଫ ଗିରଫଦାରୀ ଉପରେ କୋର୍ଟରୁ ସୁରକ୍ଷା ମାଗିଥିଲେ । ହେଲେ କୋର୍ଟ ତାଙ୍କୁ ଗିରଫରୁ ନିବେଦନକୁ ଆଗ୍ରହ୍ୟା କରିଦେଇଥିଲେ । ବିଚାରପତି ସୁରେଶ କୁମାର କୈତ ଏବଂ ବିଚାରପତି ମନୋଜ ଜୈନଙ୍କ ପୀଠ କଜେରିଓ୍ବାଲଙ୍କ ଆବେଦନକୁ ୨୨ ଏପ୍ରିଲରେ ଶୁଣାଣି ପାଇଁ ସୂଚୀବଦ୍ଧ କରିଛନ୍ତି ।

ଉଲ୍ଲେଖଯୋଗ୍ୟ, ଏହି ମାମଲା ୨୦୨୧-୨୨ ପାଇଁ ଦିଲ୍ଲୀ ସରକାରଙ୍କ ଅବକାରୀ ନୀତି ପ୍ରସ୍ତୁତ କରିବା ଏବଂ ଲାଗୁ କରିବାରେ କଥିତ ଭ୍ରଷ୍ଟାଚାର ଏବଂ ମନିଲଣ୍ଡ୍ରିଂ ସହ ଜଡ଼ିତ । ଅବଶ୍ୟ ଏହି ନୀତିକୁ ପରବର୍ତ୍ତୀ ସମୟରେ ରଦ୍ଦ କରିଦିଆଯାଇଥିଲା । ମାମଲରେ ଆପ୍ ନେତା ମନୀଷ ସିସୋଦିଆ ଏବଂ ସଞ୍ଜୟ ସିଂହ ନ୍ୟାୟିକ ହେପାଜତରେ ଅଛନ୍ତି । ଇଡିର ଦାଖଲ କରିଥିବା ଚାର୍ଜସିଟରେ କେଜରିଓ୍ବାଲଙ୍କ ନାମ ଅନେକ ଥର ଉଲ୍ଲେଖ କରାଯାଇଛି ।