ଦିଲ୍ଲୀ ବିମାନ ବନ୍ଦରରୁ ୨୬ ଲକ୍ଷ ଟଙ୍କାର ସୁନା ଓ ସିଗାରେଟ ଜବତ

ନୂଆଦିଲ୍ଲୀ : ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦର (ଆଇଜିଆଇ)ର କଷ୍ଟମ ଅଧିକାରୀମାନେ ଶୁକ୍ରବାର ସୁନା ଓ ସିଗାରେଟ ଚୋରା ଚାଲଣର ଏକ ବଡ଼ ଉଦ୍ୟମକୁ ପଣ୍ଡ କରିଛନ୍ତି। ଏହି ମାମଲାରେ କିର୍ଗିଜିସ୍ତାନର ଜଣେ ମହିଳାଙ୍କୁ ଗିରଫ କରାଯାଇଛି। ତାଙ୍କ ନିକଟରୁ ୨୬.୩୭ ଲକ୍ଷ ଟଙ୍କାର ସୁନା ଓ ସିଗାରେଟ ଜବତ କରାଯାଇଛି। ମହିଳା ଜଣକ ଏହି ସୁୁନା ଓ ସିଗାରେଟ କାହା ପାଇଁ ଆଣିଥିଲେ ତାହା ଜାଣିବା ପାଇଁ ତାଙ୍କୁ ପଚରାଉଚୁରା କରାଯାଉଛି।
କଷ୍ଟମ ଅଧିକାରୀଙ୍କ ସୂଚନା ଅନୁସାରେ ମହିଳା ଜଣକ କିର୍ଗିଜିସ୍ତାନରୁ ପ୍ରଥମେ ରୁଷର ରାଜଧାନୀ ମସ୍କୋକୁ ଆସିଥିଲେ। ମସ୍କୋରୁ ସେ ଏସ୍‍ୟୁ ୨୩୪ ବିମାନ ଯୋଗେ ଆଇଜିଆଇ ବିମାନ ବନ୍ଦରରେ ପହଞ୍ଚିଥିଲେ। ଗୁଇନ୍ଦା ସୂଚନା ଆଧାରରେ ଟର୍ମିନାଲ ୩ରେ ତାଙ୍କୁ ଅଟକାଇ ଯାଞ୍ଚ କରାଯାଇଥିଲା। ଯାଞ୍ଚରୁ ତାଙ୍କ ନିକଟରୁ ୪ଟି ସୁନା ଚେନ ଏବଂ ବିଦେଶ ବ୍ରାଣ୍ଡର ୫୦୦୦ଟି ସିଗାରେଟ ମିଳିଥିଲା।