ଦିଲ୍ଲୀ ବାୟୁ ପ୍ରଦୂଷଣ ନେଇ ସରକାରଙ୍କ ଉପରେ ବର୍ଷିଲେ ସୁପ୍ରିମ୍‌ କୋର୍ଟ; ସମାଧାନ କରିବାକୁ ଦେଲେ ନିର୍ଦ୍ଦେଶ

ନୂଆଦିଲ୍ଲୀ: ସଂପ୍ରତି ଦିଲ୍ଲୀରେ ସୃଷ୍ଟି ହୋଇଥିବା ବାୟୁ ପ୍ରଦୂଷଣ ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଥିବା ବେଳେ ଆଜି ସୁପ୍ରିମ୍‌ କୋର୍ଟ ଏହି ମାମଲାରେ ଗଭୀର ଉଦ୍‌ବେଗ ପ୍ରକାଶ କରିବା‌ ସହ ଉଭୟ କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କ ଉପରେ ଖୁବ୍‌ ବର୍ଷିଛନ୍ତି। ବାୟୁ ପ୍ରଦୂଷଣର ଶିକାର ହୋଇ ଏଥିରୁ ନିସ୍ତାର ପାଇଁ ଦିଲ୍ଲୀବାସୀ ଏବେ ତ୍ରାହି ତ୍ରାହି ଡାକ ଛାଡ଼ିଥିବା ବେଳେ ସମସ୍ୟାର ସମାଧାନ କରିବା ପ୍ରତିବଦଳରେ ଉଭୟ କେନ୍ଦ୍ର ଓ ଦିଲ୍ଲୀ ସରକାର ଏହି ଘଟଣାକୁ ନେଇ ପରସ୍ପର ଉପରେ ଯେପରି ଦୋଷାରୋପ କରି ଚାଲିଛନ୍ତି, ତାହାର ତୀବ୍ର ନିନ୍ଦା କରିଛନ୍ତି। ଏ ପରିପ୍ରେକ୍ଷୀରେ, ‘ଜଣେ ନାଗରିକର ବଞ୍ଚିବାର ଅଧିକାର ହେଉଛି ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଏବଂ ମୌଳିକ ଅଧିକାର’; ଏହାକୁ କେହି ଭୁଲିଯିବା ବା ଅଣଦେଖା କରିବା ଆଦୌ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ସୁପ୍ରିମ୍‌ କୋର୍ଟ।

‘ପ୍ରତ୍ୟେକ ବର୍ଷ ବାୟୁ ପ୍ରଦୂଷଣ କାରଣରୁ ଦିଲ୍ଲୀ ବାସୀ ଶ୍ବାସରୁଦ୍ଧ ଅବସ୍ଥାରେ ୧୦-୧୫ ବିତାଇବା ସହ ବଞ୍ଚିବା ପାଇଁ ସଂଗ୍ରାମ କରୁଛନ୍ତି। ଏହାସତ୍ତ୍ବେ ଏହି ସମସ୍ୟାର ସମାଧାନ ଦିଗରେ ଆମେ କିଛି ବି ହେଲେ ପଦକ୍ଷେପ ନେଇପାରୁ ନାହୁଁ। ଏମିତି ଆଉ କେତେଦିନ ଚାଲିବ? କୌଣସି ସଭ୍ୟ ରାଷ୍ଟ୍ରରେ ଏମିତି ଘଟଣା ଦେଖିବାକୁ ମିଳି ନଥାଏ। ସରକାର ଜାଣି ରଖିବା ଉଚିତ୍‌ ଯେ ଜଣେ ନାଗରିକର ବଞ୍ଚିବାର ଅଧିକାର ହେଉଛି ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଏବଂ ମୌଳିକ ଅଧିକାର। ତେଣୁ ସେ କେନ୍ଦ୍ର ସରକାର ହୁଅନ୍ତୁ କି ଦିଲ୍ଲୀ ସରକାର କି ଉଭୟ ସରକାର ମିଳିତ ଭାବେ ଏ ସମସ୍ୟାର ସମାଧାନ ପନ୍ଥା ଶୀଘ୍ର ବାହାର କରନ୍ତୁ’ ବୋଲି କହିଛନ୍ତି ସୁପ୍ରିମ୍‌ କୋର୍ଟର ବିଚାରପତି ଜଷ୍ଟିସ୍‌ ଅରୁଣ ମିଶ୍ର।