ବିଜୟା ଦଶମୀରେ ରାଫେଲ୍‌ ଗ୍ରହଣ କଲେ ରାଜନାଥ

ପ୍ୟାରିସ୍‌: ପୁରାଣରେ ବର୍ଣ୍ଣିତ ରହିଛି ମଙ୍ଗଳବାର ପବିତ୍ର ଦଶହରା ବା ବିଜୟା ଦଶମୀରେ ରାବଣ ନିଧନ କରି ବିଜୟ ହାସଲ କରିଥିଲେ ଶ୍ରୀରାମ। ଆଉ ଏହି ପବିତ୍ର ଦିନରେ ଭାରତ ରାଫେଲ୍‌ ଗ୍ରହଣ କରିଛି ଭାରତ। ଭାରତ ପକ୍ଷରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରଥମ ରାଫେଲ୍‌କୁ ଗ୍ରହଣ କରିଛନ୍ତି। ଦକ୍ଷିଣପଶ୍ଚିମ ଫ୍ରାନ୍ସଠାରେ ଥିବା ଡାସଲ୍ଟ ଆଭିଏସନ୍‌ର ମେରିଜ୍‌ନାକ୍‌ ଫାସିଲିଟିଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସେ ଗ୍ରହଣ କରିଛନ୍ତି। ସୂଚନାଯୋଗ୍ୟ ଯେ, ଆଜି ମଧ୍ୟ ବାୟୁସେନା ଦିବସ। ସେ ଏହି ଅବସରରେ ଆରବି-୦୦୧ ଲେଖାଥିବା ରାଫେଲ୍‌କୁ ଫୁଲ ଓ ସିନ୍ଦୁର ଲଗାଇ ପୂଜା କରିଛନ୍ତି। ସେ ଏଥିରେ ଉଡ଼ାଣ ମଧ୍ୟ ଭରିବାର ଅଛି।

ରାଜନାଥ ଏହି ଦିନକୁ ଐତିହାସିକ ଦିବସ ବୋଲି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, “ଏହି ଉତ୍ସବ ସତରେ ଐତିହାସିକ ଏବଂ ବାୟୁସେନା ପାଇଁ ଐତିହାସିକ ଦିନ। ଏହି ଉତ୍ସବ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ସୁଦୃଢ଼ କରିବ। ଆଜି ୮୭ତମ ବାୟୁସେନା ଦିବସ ଏବଂ ନକାରାତ୍ମକ ଶକ୍ତି ଉପରେ ସକାରାତ୍ମକ ଶକ୍ତିର ବିଜୟର ଦିନ ବିଜାୟଦଶମୀ। ଆଜି ରାଫେଲ ଡେଲିଭରୀ ଆରମ୍ଭ ହୋଇଥିବାରୁ ମୁଁ ଆନନ୍ଦିତ। ମୁଁ ନିଶ୍ଚିତ ଏହା ବାୟୁସେନାର ଶକ୍ତି ବଢ଼ାଇବ। ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସହଯୋଗୀତା ବଢ଼ିବ ବୋଲି ଆଶା କରୁଛି।”

ଆଜି ଏହି ଅବସରରେ ଭାରତୀୟ ବାୟୁସେନା ପାଇଁ ନିର୍ମିତ ରାଫେଲ୍‌ର ହ୍ୟାଣ୍ଡଓଭର ସାର୍ଟିଫିକେଟ୍‌ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥଙ୍କୁ ପ୍ରଦାନ କରାଯାଇଛି। ଏହା ପୂର୍ବରୁ ସେ ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ୟୁଏଲ ମ୍ୟାକରନ୍‌ଙ୍କୁ ଭେଟିଥିଲେ। ଏହି ବୈଠକରେ ମ୍ୟାକରନ୍‌ ଇସ୍‌ଲାମିଷ୍ଟ ଆତଙ୍କବାଦକୁ କଡ଼ା ବିରୋଧ କରିଥିଲେ।