ବନ୍ଦ ହେବନି ସାଇବାବାଙ୍କ ମନ୍ଦିର

ସାଇବାବା ଜନ୍ମଭୂମି ବିବାଦ

ମହାରାଷ୍ଟ୍ର: ବନ୍ଦ ହେବନି ସାଇବାବାଙ୍କ ମନ୍ଦିର । କେବଳ ଶିରିଡି ବନ୍ଦ ହେବ । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବୟାନକୁ ନେଇ ଆରମ୍ଭ ହୋଇଥିବା ବିବାଦକୁ କେନ୍ଦ୍ର କରି ଶିରିଡିରେ ସାଇବାବାଙ୍କ ମନ୍ଦିର ଆସନ୍ତାକାଲି ଠାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ କୁ ନେଇ ଲାଗିଥିବା ଚର୍ଚ୍ଚାକୁ ଶିରିଡି ସାଇ ଟ୍ରଷ୍ଟ ଖଣ୍ଡନ କରିଛି ।

ଏ ସମ୍ପର୍କରେ ଟ୍ରଷ୍ଟ ପକ୍ଷରୁ କହାଯାଇଛି ଯେ, ରବିବାର ଓ ଏହାପରେ ମଧ୍ୟ ବାବାଙ୍କ ଆଳତୀଠାରୁ ଆରମ୍ଭ କରି ଅନ୍ୟାନ୍ୟ ପୂଜାନୀତି ପୂର୍ବପରି ଚାଲୁ ରହିବ। ଏପରିକି ଟ୍ରଷ୍ଟ ପକ୍ଷରୁ ପ୍ରସାଦାଳୟ, ଭକ୍ତ ନିବାସ ଓ ହସ୍ପିଟାଲ ନିୟମିତ ଭାବେ କାର୍ଯ୍ୟ କରିବ ବୋଲି ସ୍ପଷ୍ଟ କରାଯାଇଛି । ଶିରିଡି ସାଇ ମନ୍ଦିରର ମୁଖ୍ୟ ପରିଚାଳନା ଅଧିକାରୀ ଦୀପକ ମୁଗଲିକର ଏହି ପ୍ରେସ ବିବୃତି ଜାରି କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଏକ ବୟାନକୁ ବିରୋଧ କରି ରବିବାର ଠାରୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ ଶିରିଡ଼ି ସାଇ ମନ୍ଦିର ବନ୍ଦ ରହିବ ବୋଲି ଚର୍ଚ୍ଚା ହେଉଥିଲା । ହେଲେ ଟ୍ରଷ୍ଟ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି । ସୂଚନା ମୁତାବକ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଥିଲେ କି, ଶିରିଡ଼ିଠାରୁ ୨୭୫ କିଲୋମିଟର ଦୂର ପାଥରିରେ ଜନ୍ମ ହୋଇଥିଲେ ସାଇ ବାବା । ତେଣୁ ଏହି ଅଂଚଳର ବିକାଶ ପାଇଁ ସେ ୧୦୦କୋଟି ଟଙ୍କାର ଅନୁଦାନ ଦିଆଯିବ ବୋଲି ମଧ୍ୟ ଘୋଷଣା କରିଥିଲେ । ତାଙ୍କର ଏଭଳି ଘୋଷଣା ପରେ ପାଥରିର ବିକାଶ ହେଲେ ଶିରିଡ଼ି ଏହାର ଆଧ୍ୟାତ୍ମିକ ଗୁରୁତ୍ୱ ହରାଇବ ବୋଲି ଆଶଙ୍କା କରି ଶିରିଡ଼ିବାସୀ ବିରୋଧ କରିବା ଆରମ୍ଭ କରିଥିଲେ ।