ପୁରୀରେ ଘନକୁହୁଡି ଯୋଗୁଁ ନୀଳଚକ୍ର ଦର୍ଶନରୁ ବଂଚିତ ହେଲେ ଶ୍ରଦ୍ଧାଳୁ

ପୁରୀ: ପୁରୀରେ ଆଜି ସକାଳୁ ଘନ କୁହୁଡି ପରିମାଣ ଏତେ ମାତ୍ରାରେ ରହିଥିଲା ଯେ, ଶ୍ର୍ରୀମନ୍ଦିର ସମ୍ପୂର୍ଣ୍ଣ ଭାବେ ଦୃଶ୍ୟମାନ ହେଉ ନଥିଲା । ଫଳରେ ରାଜ୍ୟ ତଥା ଦେଶ ବାହାରୁ ଆସିଥିବା ଶ୍ରଦ୍ଧାଳୁମାନେ ନୀଳଚକ୍ର ଦର୍ଶନରୁ ବଂଚିତ ହୋଇଥିଲେ । ଏହାବ୍ୟତୀତ କୁହୁଡି ଯୋଗୁଁ ବଡ ଦେଉଳ, ଜଗମୋହନ, ନାଟମଣ୍ଡପ, ଭୋଗ ମଣ୍ଡପ, ସିଂହଦ୍ୱାର ତଥା ତିନି ଦ୍ୱାରର ଗୁମୁଟ ମଧ୍ୟ ଠିକ୍ ଭାବେ ଦେଖାଯାଉ ନ ଥିଲା । ଏସବୁ ଘନ କୁହୁଡିର ଆସ୍ତରଣରେ କୁଆଡେ ସତେ ଯେପରି ଲୁଚି ଯାଇଥିଲେ ।

ସକାଳ ସାଢେ ସାତଟା ପର୍ଯ୍ୟନ୍ତ ବି ବଡ଼ଦାଣ୍ଡରେ ଯାନବାହନ ଗୁଡ଼ିକରେ ଲାଇଟ ଲଗାଇ ଚଳପ୍ରଚଳ କରୁଥିବା ଦେଖିବାକୁ ମିଳିଥିଲା। ଗତକାଲି ଅପେକ୍ଷା ଆଜି ବହୁଗୁଣରେ ଅଧିକ କୁହୁଡି ଅନୁଭୂତ ହୋଇଛି। ଘନକୁହୁଡି ଯୋଗୁ ପୁରୀରେ ଜୀବନଯାତ୍ରା ମଧ୍ୟ ପ୍ରଭାବିତ ହୋଇଛି।