ଆସନ୍ତାକାଲି କଂଗ୍ରେସକୁ ମିଳିବ ନୂଆ ଅଧ୍ୟକ୍ଷ !

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ରାହୁଲ ଗାନ୍ଧୀ କଂଗ୍ରେସର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରଠାରୁ ମୁଖିଆ ହୀନ ହୋଇ ପଡିଥିବା କଂଗ୍ରେକୁ ଖୁବ ଶୀଘ୍ର ନୂଆ ଅଧ୍ୟକ୍ଷ ମିଳିପାରେ । ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଜାତୀୟ କଂଗ୍ରେସର କାର୍ଯ୍ୟକାରୀ କମିଟିର ବୈଠକ ପୂର୍ବରୁ ଅଧ୍ୟକ୍ଷଙ୍କ ନାଁ ଉପରେ ସହମତି ପାଇଁ ଶୁକ୍ରବାର ଦିନ କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲ, ଏ.କେ. ଆଣ୍ଟୋନୀ, କେ.ସି.ବେଣୁଗୋପାଳ ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ସାକ୍ଷାତ କରିଛନ୍ତି । 

ଶନିବାର ଦିନ କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକ ହେବାକୁ ଯାଉଛି, ଯେଉଁଥିରେ ନୂଆ ଅଧ୍ୟକ୍ଷଙ୍କ ନାଁ ଘୋଷଣା ହୋଇପାରେ । ମିଡିଆ ରିପୋର୍ଟ୍ସ ଅନୁସାରେ ବର୍ତ୍ତମାନ ମୁକୁଳ ୱାସନିକ ନାଁ ଏହି ଦୌଡରେ ସବୁଠାରୁ ଆଗରେ ରହିଛି । ଏହା ପୂର୍ବରୁ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୁସିଲ କୁମାର ସିନ୍ଦେଙ୍କ ନାଁ ଅଧ୍ୟକ୍ଷ ପଦର ଦୌଡରେ ଆଗରେ ଥିଲା । ସିନ୍ଦେ ପାର୍ଟିର ଏକ ବଡ ଦଳିତ ଚେହେରା ଭାବେ ଜଣାଶୁଣା । ଏହାସହ ସିନ୍ଦେଙ୍କ ଉପରେ ଗାନ୍ଧୀ ପରିବାରର ବିଶ୍ୱାସ ମଧ୍ୟ ରହିଛି ।