ଦେବଗଡ: ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଆଜି ଦେବଗଡ ପୌରପରିଷଦ ପକ୍ଷରୁ ୫୭ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟରେ ନିର୍ମୀତ ନୂତନ ପରିବା ବଜାର ଉଦଘାଟିତ ହୋଇଯାଇଛି । ଏହାକୁ ଦେବଗଡ ଜିଲାପାଳ ସୁଧାଂଶୁ ମୋହନ ସାମଲ ଓ ଅନ୍ୟଣ୍ୟ ଅଧିକାରୀଙ୍କ ଉପସ୍ଥିତିରେ ମୁଗଫଳି ନାମ୍ନି ଜଣେ ମହିଳା ପରିବା ବ୍ୟବସାୟୀ ଫିତାକାଟି ଉଦଘାଟନ କରିଥିଲେ ।
ଏହି ଅବସରରେ ସ୍ୱଚ୍ଛ ଭାରତ ମିଶନ ପକ୍ଷରୁ ଦେବଗଡ ପୌରାଂଚଳର ବେଞ୍ଜାତିନାଳିରେ ପ୍ରାୟ ୭୮ ଲକ୍ଷ ଟଙ୍କା ବ୍ୟୟରେ ନୂତନ ଭାବେ ନିର୍ମୀତ ମାଇକ୍ରୋ କମ୍ପୋଷ୍ଟିଂ ସେଂଟର(ଏମ୍.ସି.ସି.)ରୁ ପ୍ରସ୍ତୁତ ‘ମୋ ଖତ’କୁ କିଲାପାଳ ଶ୍ରୀ ସାମଲ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ଦେବଗଡ ପୌରପରିଷଦର ନିର୍ବାହୀ ଅଧିକାରୀ ବିକ୍ରାନୀ କିସପଟା, ମୂନିସିପାଲିଟୀ ଇଞ୍ଜିନିୟର ସରସ୍ୱତୀ ମହାନନ୍ଦ,ଡେପୁଟୀ କଲେକ୍ଟର କୈବଲ୍ୟ କର,ଯଶୋବନ୍ତ ଦେହୁରୀ, ପୌର ପରିଷଦର କମ୍ୟୁନିଟୀ ଅର୍ଗାନାଇଜର ମୋନାଲିଶା ପଣ୍ଡା,କନିଷ୍ଠ ଯନ୍ତ୍ରୀ ବିଜୟାନନ୍ଦ ସାହୁ,ଘନଶ୍ୟାମ ସାହୁ ଓ ପ୍ରିୟଂକା ଦେଓ,ପୌର ପରିଷଦ କର୍ମଚାରୀ ଅଶ୍ୱିନୀ ବେହେରା,ବିନୋଦ କୁମାର ନାଗ, ସି.ଏଲ.ଟି.ସି.ପରେଶ କୁମାର ପ୍ରଧାନ ଓ ପ୍ରଦୀପ କୁମାର ସ୍ୱାଇଁଙ୍କ ସମେତ ଦେବଗଡ ଫୌର ପରିଷଦର ବହୁ କର୍ମଚାରୀ ଓ ୧୧ ଟି ଯାକ ୱାର୍ଡର ସ୍ୱଚ୍ଛସାଥୀ ମାନେ ଉପସ୍ଥିତ ଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ଦେବଗଡ ସହରରୁ ବାହାରୁଥିବା ବିଭିନ୍ନ ପ୍ରକାରର ଅଳିଆ ଆବର୍ଜନାକୁ (ଏମ୍.ସି.ସି.)ରେ ପ୍ରକ୍ରିୟା କରଣ କରାଯାଇ ସେଥିରୁ ଖତ(ଗୋବର)ପ୍ରସ୍ତୁତ କରାଯାଉଛି । ଦେବଗଡ ପୌର ପରିଷଦ ପକ୍ଷରୁ ଏହି ଖତକୁ ଆଜିଠାରୁ ସର୍ବ ସାଧାରଣଙ୍କ କ୍ରୟ ନିମନ୍ତେ ସାର୍ବଜନୀନ କରାଯାଇଛି । ଅନ୍ୟପକ୍ଷରେ ପୂର୍ବରୁ ଖୋଲାଆକାଶ ତଳେ ପରିବା ବ୍ୟବସାୟୀ ମାନେ ବସି ବ୍ୟବସାୟ କରୁଥିବାରୁ ଗ୍ରୀଷ୍ମ,ବର୍ଷା ଓ ଶୀତ ଦିନରେ ଉଭୟ ବ୍ୟବସାୟୀ ଓ ଗ୍ରାହକ ମାନେ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖିନ ହେଉଥିଲେ । ଏହି ସମସ୍ୟାର ସମାଧାନ ନିମନ୍ତେ ପରିବା ବ୍ୟବସାୟୀଙ୍କ ଠାରୁ ଆରମ୍ଭ କରି ଦେବଗଡ ଜନ ସାଧାରଣ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଦାବୀ ହେବା ପରେ ପୌରପରିଷଦ ପକ୍ଷରୁ ଉପରୋକ୍ତ ପିଣ୍ଡି ଓ ଛାଉଣୀ ବିଶିଷ୍ଟ ନୂତନ ବଜାର ପ୍ରାଙ୍ଗଣ ନିର୍ମୀତ ହୋଇଛି ।