ଦେବଗଡରେ କରୋନା ଚିହ୍ନଟ ହେବା ପରେ ୭ ଗାଁକୁ କଂଟେନମେଂଟ ଜୋନ ଘୋଷଣା କଲା ଜିଲ୍ଲା ପ୍ରଶାସନ

ଦେବଗଡ: ଦେବଗଡ ଜିଲ୍ଲାରେ କରୋନା ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୭ଟି ଗାଁକୁ କଂଟେନମେଂଟ ଜୋନ ଘୋଷଣା କରାଯାଇଛି । ଏହା ଅନୁଯାୟୀ କରୋନା ପଜିଟିଭ୍ ଚିହ୍ନିତ ହୋଇଥିବା କଲଣ୍ଡା ପଂଚାୟତର ବାସୁଦେବପୁର, ଖୁଂଟାପୋଷି ହେମଲେଟ, ଝାଟିକିପୋଷି(ବଲଣ୍ଡା) ହେମଲେଟ, ସାମନ୍ତରାପାଲି, ନୂଆଗାଁ ଏବଂ କମଳା ବଗିଚା ଓ ବଣିଆକିଲିଣ୍ଡା ପଂଚାୟତର ସୁନାମୁଣ୍ଡା ଗାଁ ଗୁଡିକୁ କଂଟେନମେଂଟ ଅଂଚଳ ଭାବେ ଘୋଷଣା କରାଯାଇଛି । ଏହି ଆଦେଶନାମାକୁ ଆଜିଠାରୁ ତୁରନ୍ତ କାର୍ଯ୍ୟକାରୀ କରାଯାଇଛି ଏବଂ ଅନ୍ୟାଦେଶ ପର୍ଯ୍ୟନ୍ତ ଏହା ବଳବତର ରହିବ । କଂଟେନମେଂଟ ଅଂଚଳକୁ ଏହି ସମୟ ମଧ୍ୟରେ ଲୋକଙ୍କ ପ୍ରବେଶ ଓ ପ୍ରସ୍ଥାନ ଉପରେ କଟକଣା ଜାରି କରାଯାଇଛି ଏବଂ ଅଂଚଳର ସମସ୍ତ ଜନସାଧାରଣଙ୍କୁ ଘରେ ରହିବା ପାଇଁ ସତର୍କ କରାଯାଇଛି । ଅଂଚଳରେ ଥିବା ସମସ୍ତ ଦୋକାନ ବଜାର ସହିତ ସରକାରୀ ଓ ବେସରକାରୀ ଅନୁଷ୍ଠାନଗୁଡ଼ିକୁ ବନ୍ଦ ରଖିବାପାଇଁ ନିର୍ଦେଶ ଦିଆଯାଇଛି ।

କଂଟେନମେଂଟ ଅଂଚଳର ଲୋକମାନଙ୍କୁ ଘରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ପହଂଚାଇବା ଏବଂ ସାନିଟାଇଜେସନ ନିମନ୍ତେ ତିଲେଇବଣି ବି.ଡି.ଓ. କୃଷ୍ଣଚନ୍ଦ୍ର ଦଳପତିଙ୍କୁ ନୋଡାଲ ଅଧିକାରୀ ଭାବେ ଦାୟିତ୍ୱ ଦିଆଯାଇଛି । ସେହିଭଳି ସ୍ୱାସ୍ଥ୍ୟସେବା  ଯୋଗାଇ ଦେବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ପ୍ରଭାତ କୁମାର ଓଝା ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି ନିମନ୍ତେ ଦେବଗଡ଼ ତହସିଲଦାର ପଲ୍ଲବୀ ନାୟକଙ୍କୁ ନୋଡାଲ ଅଧିକାରୀ ଭାବେ ଦାୟିତ୍ୱ ଦିଆଯାଇଛି । ଉପ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇଙ୍କୁ ସମସ୍ତ କାର୍ଯ୍ୟର ତଦାରଖ ଦାୟିତ୍ୱ ଦିଆଯାଇଛି ।