ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ ! ହତ୍ୟା ଷଡ଼ଯନ୍ତ୍ର ନେଇ ନବୀନ ନିବାସକୁ ଆସିଲା ବେନାମୀ ଚିଠି

ସୁରକ୍ଷା ନେଇ ତତ୍ପର ହେଲା ପ୍ରଶାସନ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହତ୍ୟା କରିବାକୁ ଷକ୍ଷଯନ୍ତ୍ର କରାଯାଇଛି । ଏ ନେଇ ନବୀନ ନିବାସକୁ ଏକ ବେନାମୀ ଚିଠି ଆସିଛି। ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର ହେଉଥିବା କଥା ଚିଠିରୁ ଜଣାପଡ଼ିବା ପରେ ରାଜ୍ୟ ପ୍ରଶାସନ ତତ୍ପର ହୋଇଉଠିଛି । ତେବେ ଚିଠିଟି ପ୍ରକୃତରେ କେଉଁଠାରୁ ଆସିଛି, କିଏ ଲେଖିଛି ଓ ଏଥିରେ ଲେଖାଥିବା କଥାର ସତ୍ୟତା ନେଇ ଖୋଳତାଡ଼ ଆରମ୍ଭ ହୋଇଯାଇଛି।

ତେବେ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା କରିବା ପାଇଁ କିଛି କଣ୍ଟ୍ରାକ୍ଟ କିଲର ସୁପାରୀ ନେଇଥିବା ହାତଲେଖା ଚିଠିରେ ଉଲ୍ଲେଖ ରହିଛି । ଏହି କଣ୍ଟ୍ରାକ୍ଟ କିଲରମାନଙ୍କ ପାଖରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ଏକେ ୪୭ ବନ୍ଧୁକ ମଧ୍ୟ ରହିଛି ସେମାନଙ୍କ ପାଖରେ । ସେମାନେ ବିଭିନ୍ନ ରାଜ୍ୟର ରେଜିଷ୍ଟ୍ରେସନ୍ ଥିବା ଗାଡି ବ୍ୟବହାର କରୁଛନ୍ତି । ଏହିଭଳି ୧୭ଟି ଗାଡିର ନମ୍ବର ମଧ୍ୟ ଚିଠିରେ ଉଲ୍ଲେଖ ରହିଛି ।

ନବୀନ ନିବାସକୁ ଏମିତି ଧମକପୂର୍ଣ୍ଣ ଚିଠି ଆସିବା ପରେ ସତର୍କ ରହିବାକୁ ଗୃହ ବିଭାଗ ପକ୍ଷରୁ ଚେତାବନୀ ଜାରି କରାଯାଇଛି । ପୁଲିସ ଡିଜିି, ଆଇଜି, ଗୁଇନ୍ଦା ନିର୍ଦ୍ଦେଶକ ଓ କମିସନରେଟ ପୁଲିସକୁ ଏ ନେଇ ଆଲର୍ଟ କରାଯାଇଛି । ବେନାମୀ ଚିଠିକୁ ନେଇ ପୂରା ଶାସନକଳ ତତ୍ପର ହୋଇ ଉଠିଛି । ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ତୁରନ୍ତ କଡାକଡି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ନବୀନ ନିବାସ ଚାରିପଟ, ଲୋକସେବା ଭବନରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇବା ସହ ମୁଖ୍ୟମନ୍ତ୍ରୀଙ୍କ ଯାତାୟତ ରାସ୍ତାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

death threating to odisha cm naveen pattnaik