ନାବାଳିକା ଦୁଷ୍କର୍ମ ମାମଲା:ଅଭିଯୁକ୍ତ ମୁସ୍ତାକକୁ ଫାଶୀ ଦଣ୍ଡ

କଟକ:କଟକ ଜିଲ୍ଲା ସାଲେପୁର ବହୁଚର୍ଚ୍ଚିତ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତ ମହମ୍ମଦ ମୁସ୍ତାକକୁ ଫାଶୀ ଦଣ୍ଡାଦେଶ ହୋଇଛି। କଟକ ସ୍ପେଶାଲ ପୋକ୍ସୋ କୋର୍ଟ ଆଜି ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଗତବର୍ଷ ଏପ୍ରିଲ ୨୧ ତାରିଖରେ ଘଟିଥିଲା ଏହି ଘଟଣା । ସାଲେପୁର ଥାନା ଅଞ୍ଚଳର ଏକ ଗାଁରେ ଜଣେ ୬ ବର୍ଷର ନାବାଳିକାକୁ ଚକୋଲେଟ୍‌ ପ୍ରଲୋଭନ ଦେଖାଇ ସ୍କୁଲ ବାରଣ୍ଡାରେ ମୁସ୍ତାକ ଦୁଷ୍କର୍ମ କରିଥିଲା। ଏହି ସମୟରେ ନାବାଳିକାଟି ଚିତ୍କାର କରିବାରୁ ସ୍କୁଲ କାନ୍ଥରେ ତା’ମୁଣ୍ଡକୁ ପିଟି ଆକ୍ରମଣ କରିଥିଲା।

ଫଳରେ ସଙ୍କଟାପନ୍ନ ଅବସ୍ଥାରେ ପୀଡ଼ିତା ନାବାଳିକାକୁ ଏସ୍‌ସିବିରେ ଭର୍ତ୍ତି କରାଯାଇଥିବା ବେଳେ ଏହି କୁନି ପିଲାଟି ଆଖି ବୁଜିଦେଇଥିଲା। ସେହିଦିନ ରାତିରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଥିଲା। ଏହି ମାମଲାର ବିଚାର କରି ଘଟଣାର ୧୯ ଦିନ ମଧ୍ୟରେ ଚାର୍ଜସିଟ ଦାଖଲ କରିଥିଲା ପୁଲିସ ।

ଶେଷରେ ୪୬ ଜଣଙ୍କ ମଧ୍ୟରୁ ୨୩ ଜଣ ସାକ୍ଷୀଙ୍କ ବୟାନ, ଫରେନସିକ୍ ରିପୋର୍ଟ, ଡିଏନ୍ଏ ରିପୋର୍ଟ ସହ ଅନ୍ୟାନ୍ୟ ଆନୁସଙ୍ଗିକ ପ୍ରମାଣ ଆଧାରରେ ମାମଲାର ବିଚାର କରି ଆଜି ଅଭିଯୁକ୍ତ ମହମ୍ମଦ ମୁସ୍ତାକ ବିରୋଧରେ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି କଟକ ସ୍ପେଶାଲ ପୋକ୍ସୋ କୋର୍ଟ । ତେବେ ଦୁଷ୍କର୍ମୀଙ୍କୁ ଫାଶୀ ଦଣ୍ଡ ନୂଆ ଘଟଣା ନୁହଁ।

ଏହା ପୂର୍ବରୁ ମଧ୍ୟ ଅନେକ ଦୁଷ୍କର୍ମକାରୀଙ୍କୁ ଫାଶି ଦଣ୍ଡ ଦିଆଯାଇଛି। ଗତ ୨ ମାସ ମଧ୍ୟରେ ଏହା ହେଉଛି ଚତୁର୍ଥ ଫାଶୀ ଦଣ୍ଡାଦେଶ। ଏହା ପୂର୍ବରୁ ମୟୂରଭଂଜ, ଅନୁଗୁଳ, ଜଗତସିଂହପୁର, କଟକ ଜିଲ୍ଲାରେ ଫାଶୀ ଦଣ୍ଡାଦେଶ ଦିଆଯାଇଛି । ଗତ ଜୁଲାଇ ୨୬ରେ ଅନୁଗୁଳର ଅନାମ ଦେହୁରୀକୁ ଫାଶୀ ଦଣ୍ଡାଦେଶ ଦିଆଯାଇଛି । ଅଗଷ୍ଟ ୨୮ରେ ବାରିପଦାର ଯାମିନୀକାନ୍ତ ମହାନ୍ତ, ସେପ୍ଟେମ୍ବର ୧୦ରେ ଏରସମାର ଲବ ମାନାକୁ ଫାଶୀ ଦଣ୍ଡାଦେଶ ଦିଆଯାଇଥିବାବେଳେ ଆଜି ସାଲେପୁରର ମହମ୍ମଦ ମୁସ୍ତାକକୁ ମିଳିଛି  ଫାଶୀ ଦଣ୍ଡାଦେଶ।