ବିଶିଷ୍ଟ କଣ୍ଢେଇ ନୃତ୍ୟଗୁରୁ ପଦ୍ମଶ୍ରୀ ମାଗୁଣି କୁଅଁରଙ୍କ ପରଲୋକ, ମୁଖ୍ୟମନ୍ତ୍ରୀଙ୍କ ଶୋକ

ପରଲୋକରେ ବିଶିଷ୍ଟ କଣ୍ଢେଇ ନୃତ୍ୟଗୁରୁ ପଦ୍ମଶ୍ରୀ ମାଗୁଣି କୁଅଁର । ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଯୋଗୁଁ ୮୮ ବର୍ଷ ବୟସରେ ନିଜ ପୈତୃକ ଘର ବୈଦରାଜ ସାହିରେ ତାଙ୍କର ପରଲୋକ ହୋଇଛି । କିଛି ଦିନ ତଳେ ଗୁରୁତର ଅବସ୍ଥାରେ ସେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ତେବେ ମାଗୁଣି କୁଅଁରଙ୍କ ପରଲୋକ ନେଇ ପରିବାର ପକ୍ଷରୁ ସୂଚନା ମିଳିଛି ।

କିଛିଦିନ ହେଲା ସେ ବାର୍ଦ୍ଧକ୍ୟ ଯନ୍ତ୍ରଣା ପାଇ ଆସୁଥିଲେ। ଯେଉଁଥି ପାଇଁ ସେ ପ୍ରତ୍ୟେକ ଦିନ ମେଡିସିନ ବ୍ୟବହାର କରୁଥିଲେ। କିଛି ଦିନ ତଳେ ରାତିରେ ହଠାତ ତାଙ୍କ ଦେହ ହାତ ବିନ୍ଧାହେବା ସହ ସେ ଅତ୍ୟଧିକ ଦୁର୍ବଳ ହୋଇ ପଡ଼ିଥିଲେ। ତୁରନ୍ତ ତାଙ୍କୁ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ଚିକିତ୍ସିତ ହେବା ପରେ ସାମାନ୍ୟ ସୁସ୍ଥ ହୋଇଥିଲେ ମାଗୁଣି କୁଅଁର । ଏହାପରେ ତାଙ୍କୁ ଘରକୁ ନେଇଆସିଥିଲେ ତାଙ୍କ ପରିବାର ଲୋକ । ଶେଷରେ ଆଜି ସେ ନିଜର ବାସଭବନରେ ତାଙ୍କର ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି ।

ତେବେ ପଦ୍ମଶ୍ରୀ ମାଗୁଣି ଚରଣ କୁଅଁରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ । ଏକ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କେନ୍ଦୁଝର ଜିଲ୍ଲାର ଗୁରୁ ମାଗୁଣି କୁଅଁରଙ୍କର ଓଡିଶାର ଲୁପ୍ତପ୍ରାୟ କଣ୍ଢେଇ ନାଚ ପରମ୍ପରାକୁ ଉଜ୍ଜିବୀତ କରି ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା।

ଅନେକ ପୁରସ୍କାର ଓ ସମ୍ମାନର ଅଧିକାରୀ ଗୁରୁ ମାଗୁଣି କୁଅଁରଙ୍କ ବିୟୋଗ ଓଡିଶାର ପାରମ୍ପରିକ କଳା ଜଗତ ପାଇଁ ଅପୂରଣୀୟ କ୍ଷତି। ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟଦା ସହ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ମୁଖ୍ୟମନ୍ତ୍ରୀ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରିଛନ୍ତି।