ଭାଇର ଚାପୁଡ଼ା ମାଡ଼ରେ ଭଉଣୀ ମୃତ, ୫ ଗିରଫ

ନୂଆପଡ଼ା : ନୂଆପଡ଼ା ଜିଲା ଖଡ଼ିଆଳ ଥାନା ନେହେନା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଭାଇର ଚାପୁଡ଼ା ମାଡ଼ରେ ଭଉଣୀ ପ୍ରାଣ ହରାଇଛି ଓ କାହାକୁ କିଛି ନଜଣାଇ ପରିବାର ଲୋକେ ଶବ ସତ୍କାର କରିଦେଇଛନ୍ତି। ମୃତକଙ୍କ ନାଁ ଅଙ୍କିତା ଦଣ୍ଡସେନା(୧୪)। ଖବର ପାଇ ପୁଲିସ ହାଡ଼ ଓ ପାଉଁଶ ଜବତ କରିବା ସହ ପରିବାରର ୫ଜଣଙ୍କୁ ଗିରଫ କରିଛି।

ସୂଚନା ଅନୁସାରେ, ଗାଁରେ ହେଉଥିବା ନାମଯଜ୍ଞ ଦେଖିଯିବାକୁ ୧୩ ତାରିଖ ସନ୍ଧ୍ୟାରେ ଅଙ୍କିତା ଭାଇ ମୁଚୁକୁନ୍ଦ ଦଣ୍ଡସେନାଙ୍କ ପାଖେ ଜିଦ୍‍ ଧରିଥିଲେ। ମୁଚୁକୁନ୍ଦ ବାରମ୍ବାର ମନା କରିବା ସତ୍ୱେ ଅଙ୍କିତା ଜିଦ୍‍ ଧରିବାରୁ ରାଗିଯାଇ ସେ ଭଉଣୀ ଅଙ୍କିତାଙ୍କୁ ଚାପୁଡ଼ା ମାରିଥିଲା। ଏହାପରେ ଅଙ୍କିତା ତଳେ ପଡ଼ି ଯାଇଥିଲେ। ଅଙ୍କିତା ମରିଯାଇଥିବା ଜାଣିବା ପରେ ମୁଚୁକୁନ୍ଦ ତାଙ୍କୁ ଏକ କୋଠରୀରେ ବନ୍ଦ କରିଦେଇଥିଲେ। ପରଦିନ ସକାଳେ ମୁଚୁକୁନ୍ଦ ପରିବାର ଲୋକଙ୍କୁ ଏ ବିଷୟରେ କହିବା ପରେ ଘଟଣାକୁ ଲୁଚାଇବା ପାଇଁ ସେମାନେ ସଙ୍ଗେସଙ୍ଗେ ପାଖ ନଦୀକୁ ନେଇ ମୃତଦେହକୁ ପୋଡ଼ି ସତ୍କାର କରିଦେଇଥିଲେ। ହଠାତ୍‍ ଘଟଣା ସମ୍ପର୍କରେ କେହି ଜାଣି ପାରିନଥିଲେ ମଧ୍ୟ ଧିରେଧିରେ ଏହାକୁ ନେଇ ଲୋକେ ଆଲୋଚନା କଲେ। ଉକ୍ତ ଗାଁର ଗଣେଶ ରାମ ବାଗ ଖଡ଼ିଆଳ ଥାନାରେ ବୁଧବାର ଏନେଇ ଲିଖିତ ଅଭିଯୋଗ କରିଥିଲେ। ଏହାପରେ ପୁଲିସ ଘଟଣାସ୍ଥଳକୁ ଯାଇ ହାଡ଼ ପାଉଁଶ ଜବତ କରିବା ସହ ମୃତକଙ୍କ ଭାଇ ମୁଚୁକୁନ୍ଦ ଦଣ୍ଡସେନା, ବାପା ଦୁର୍ବାରଞ୍ଜନ ଦଣ୍ଡସେନା, ନରେଶ ଦଣ୍ଡସେନା, ବୋଧନକର ଦଣ୍ଡସେନା ଓ ସୁରେଶ ଦଣ୍ଡସେନାଙ୍କୁ ଗିରଫ କରିଛି। ତେବେ ଗିରଫ ସଂଖ୍ୟା ବଢିବାର ସମ୍ଭାବନା ଅଛି।