ଭାଇର ମୃତ୍ୟୁପରେ ପରିବାରର ୫ ସଦସ୍ୟଙ୍କ ଆତ୍ମହତ୍ୟା ଉଦ୍ୟମରେ ବଡ଼ଭାଇର ମୃତ୍ୟୁ

ଝାରସୁଗୁଡା: ସାନ ଭାଇର ମୃତ୍ୟୁରେ ଭାଙ୍ଗିପଡି ଆତ୍ମହତ୍ୟା ଉଦ୍ୟମ କରିଥିବା ଝାରସୁଗୁଡା ଲହଣ୍ଡାବୁଡ଼ର ୫ ଜଣ ସଦସ୍ୟଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଯାଇଛି । ମୃତକ ଜଣକ ଶ୍ରୀକାନ୍ତ ବିଶ୍ୱାଳ ହୋଇଥିବାବେଳେ ସେ ପରିବାରର ବଡ ଭାଇ ବୋଲି ଜଣାପଡିଛି । ଅବସ୍ଥା ଗୁରୁତର ହେବାରୁ ଗତକାଲି ବିଳମ୍ବିତ ରାତିରେ ତାଙ୍କୁ ଝାରସୁଗୁଡ଼ାରୁ ବୁର୍ଲାକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଛି । ଗତ ୧ ତାରିଖରେ ସାନ ଭାଇ ଦୀପକ ବିଶ୍ୱାଳଙ୍କର ମୃତ୍ୟୁ ହେବା ପରେ ଦୁଃଖରେ ଭାଙ୍ଗିପଡି ପରିବାରର ସଦସ୍ୟ ମା ପୁଷ୍ପବତୀ,ଭାଇ ଶ୍ରୀକାନ୍ତ (୩୩) ଭଉଣୀ ଲିଲି (୩୮), ପିଙ୍କି(୩୦), ବନ୍ଦିତା( ୩୫) ବିଷପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।

ପଡୋଶୀମାନେ ଏ ବାବଦରେ ଜାଣିବା ପରେ ପୁଲିସକୁ ଖବର ଦେଇଥିଲେ। ପୁଲିସ ସେମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତି କରିଥିଲା । ତେବେ ଲିଲି ଓ ଶ୍ରୀକାନ୍ତଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା । ଆଜି ଶ୍ରୀକାନ୍ତଙ୍କର ମୃତ୍ୟୁ ହୋଇଯାଇଛି । ମିଳିଥିବା ସୂଚନା ମୁତାବକ ଝାରସୁଗୁଡା ୨୦୧୮ ମସିହାରେ ଝାରସୁଗୁଡା ବେହେରାମାଲରେ ଏକ ବାଇକ ଦୁର୍ଘଟଣା ହୋଇଥିଲା । ଏଥିରେ ଦୀପକ ବିଶ୍ୱାଳ(୨୨) ଗୁରୁତର ଆହତ ହୋଇ କୋମାକୁ ଚାଲିଯାଇଥିଲେ ।

ଦୀପକଙ୍କ ଚିକିତ୍ସା ପାଇଁ ପରିବାର ଲୋକ ପ୍ରାୟ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଥିଲେ । ଘରେ ଦୀପକଙ୍କ ଚିକିତ୍ସା ଚାଲିଥିବାବେଳେ ଜୁନ ୧ ତାରିଖରେ ସେ ଗୁରୁତର ହୋଇପଡିଥିଲେ । ଦୀପକଙ୍କୁ ତାଙ୍କ ସାଙ୍ଗମାନେ ଏକ ଘରୋଇ ନର୍ସିଂହୋମକୁ ନେଇଯାଇଥିଲେ। ସେଠାରେ ଦୀପକଙ୍କର ମୃତ୍ୟୁ ହୋଇଯାଇଥିଲା । ଏହା ପରେ ସାଙ୍ଗମାନେ ଦୀପକଙ୍କ ମୃତ ଦେହକୁ ତାଙ୍କ ଘରକୁ ନେଇ ଆସିଥିଲେ । ଭାଇର ମୃତ୍ୟୁ ପରେ ଦୀପକଙ୍କ ପରିବାରରେ ଜଣେ ଭାଇ, ତିନି ଜଣ ଭଉଣୀ ଓ ମା ଆତ୍ମହତ୍ୟା ଉଦ୍ୟମ କରିଥିଲେ ।