ଭୁବନେଶ୍ୱର : ଆଜି ନବ ଉତ୍କଳର ନିର୍ମାତା, ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନର ପ୍ରମୁଖ ବିନ୍ଧାଣୀ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧ ଦିବସ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ପାଳିତ ହୋଇଯାଇଛି । ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ଆଜି ସଂଧ୍ୟାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରାରମ୍ଭରେ ଅତିଥିମାନେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉତ୍କଳଗୌରବଙ୍କ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ବଡମ୍ବା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ର କହିଲେ ଯେ, ମଧୁବାବୁ କେବଳ ଓଡିଶାର ଗୌରବ ନୁହଁନ୍ତି, ସେ ଥିଲେ ଯଥାର୍ଥରେ ଭାରତର ଜାତୀୟ ଗୌରବର ଅଧିକାରୀ । ତତ୍କାଳୀନ ଖଣ୍ଡ ବିଖଣ୍ଡିତ ଓଡିଶାର ଏକତ୍ରୀକରଣ, ଓଡିଆ ଅସ୍ମିତାର ପୁନରୁଦ୍ଧାର, ସାଂସ୍କୃତିକ ଜାଗରଣ ଏବଂ ଦେଶର ସ୍ୱାଧୀନତା ସଂଗ୍ରାମକୁ ସ୍ଫୁଲିଙ୍ଗ ଦେବାରେ ସେ ଥିଲେ ଅଗ୍ରଗଣ୍ୟ ବୋଲି ଶ୍ରୀ ମିଶ୍ର ତାଙ୍କ ବକ୍ତବ୍ୟରେ କହିଥିଲେ । ଭର୍ଚୁଆଲ ବ୍ୟବସ୍ଥାରେ ସାଲେପୁର ବିଧାୟକ ଶ୍ରୀ ପ୍ରଶାନ୍ତ ବେହେରା ଯୋଗଦେଇ ମଧୁବାବୁ ସର୍ବଦା ଓଡିଶାବାସୀଙ୍କ ମଙ୍ଗଳ ପାଇଁ ଚିନ୍ତା କରି କାର୍ଯ୍ୟ କରୁଥିଲେ ଏବଂ ତାଙ୍କର କାର୍ଯ୍ୟଧାରା ଉପରେ ଆଲୋକପାତ କରି ସମସ୍ତେ ତାଙ୍କ ଦ୍ୱାରା ଅନୁପ୍ରାଣିତ ହେବାକୁ ଆହ୍ୱାନ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଚୌଦ୍ୱାର-କଟକ ବିଧାୟକ ଶ୍ରୀ ସୌଭିକ ବିଶ୍ୱାଳ ଯୋଗଦେଇ ମଧୁବାବୁ ବାଳିକା ଶିକ୍ଷାକୁ ଗୁରୁତ୍ୱ ଦେଉଥିଲେ ବୋଲି ପ୍ରକାଶ କରିଥିଲେ ।
ମଧୁବାବୁଙ୍କ ଓଡିଆ ଜାତି ପାଇଁ ନିଃସ୍ୱାର୍ଥପର କାର୍ଯ୍ୟ ଓ ଚିନ୍ତାଧାରାକୁ ଆମେ ସମସ୍ତେ ଅନୁସରଣ କରିବା ଉଚିତ୍ ବୋଲି ଶ୍ରୀ ବିଶ୍ୱାଳ କହିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଓଡିଶା ରିଭ୍ୟୁ ଏବଂ ଉତ୍କଳ ପ୍ରସଙ୍ଗର ସମ୍ପାଦକ ଡଃ. ଲେନିନ୍ ମହାନ୍ତି ଯୋଗଦେଇ କହିଲେ ଯେ, ମଧୁବାବୁଙ୍କ ଦ୍ୱାରା ୧୯୦୩ ମସିହାରେ ଉତ୍କଳ ସମ୍ମିଳନୀକୁ ନେତୃତ୍ୱ ଓ ସାଧାରଣ ସଭା ପରବର୍ତୀ ସମୟରେ ୧୯୩୬ ମସିହାରେ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ପାଇଁ ମାର୍ଗଦର୍ଶନ କରିଥିଲା । ରାଜ୍ୟରେ କୁଟୀର ବିକାଶଠାରୁ ଆରମ୍ଭ କରି ଓଡିଆ ଜାତି ଓ ଦେଶ ପାଇଁ ମଧୁବାବୁ ଯାହା କରିଯାଇଛନ୍ତି, ତାହା ସ୍ମରଣୀୟ ହୋଇ ରହିଛି । ମଧୁବାବୁଙ୍କର ଆଦର୍ଶରେ ଅନୁପ୍ରାଣିତ ହୋଇ ସ୍ୱାର୍ଥ ତ୍ୟାଗ କରି ଦେଶମାତୃକା ପାଇଁ କାର୍ଯ୍ୟ କରିବାକୁ ସେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ଉତ୍କଳ ବିଶ୍ୱ ବିଦ୍ୟାଳୟ ଓଡିଆ ବିଭାଗ ମୁଖ୍ୟ ପ୍ରଫେସର ଡଃ. ସନ୍ତୋଷ ତ୍ରିପାଠୀ ଯୋଗଦେଇ ମଧୁବାବୁଙ୍କର ଜାତୀୟ ପ୍ରୀତି, ଦେଶପ୍ରେମ, ଜୀବନାଦର୍ଶ ଓ ଓଡିଆ ଜାତିର କଲ୍ୟାଣ ପାଇଁ ତାଙ୍କର ସଂଗ୍ରାମର କାହାଣୀ ଉପରେ ସାରଗର୍ଭକ ବକ୍ତବ୍ୟ ରଖିଥିଲେ । ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ କୃପାସିନ୍ଧୁ ମିଶ୍ର ପ୍ରାରମ୍ଭିକ ସ୍ୱାଗତ ଭାଷଣ ପ୍ରଦାନ ପୂର୍ବକ ପ୍ରାତଃ ସ୍ମରଣୀୟ କୂଳବୃଦ୍ଧ ମଧୁସୁଦନଙ୍କୁ ପ୍ରଜ୍ଞାପୁରୁଷ ଭାବେ ଅଭିିହିତ କରି ମଧୁବାବୁଙ୍କ ଜୀବନୀ ସଦା ସର୍ବଦା ଆମକୁ ସ୍ୱାଭିମାନର କଥା ଜାଗ୍ରତ କରାଉଛି ବୋଲି କହିଥିଲେ । ବିଭାଗୀୟ ନିର୍ଦ୍ଦେଶକ(ବୈଷୟିକ ) ଶ୍ରୀ ନିରଂଜନ ସେଠୀ ଓ ଅନ୍ୟ ଅତିଥିମାନେ ଭର୍ଚୁଆଲ ମାଧ୍ୟମରେ ଯୋଗଦେଇଥିବା ବେଳେ ଯୁଗ୍ମ ନିର୍ଦ୍ଦେଶକ ଡଃ. ପ୍ରମୋଦ କୁମାର ମଲ୍ଲିକ ଓ ବିଭାଗୀୟ ଅନ୍ୟ ପଦାଧିକାରୀ, ବୁଦ୍ଧିଜୀବୀ ଓ ଜନସାଧାରଣ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ସୂଚନା ଓ ଲୋକ ସଂପର୍କ ବିଭାଗ ସହକାରୀ ନିର୍ଦ୍ଦେଶକ(କ୍ଷେତ୍ର ) ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ସଂଯୋଜନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।
ପ୍ରକାଶ ଥାଉକି, ସକାଳେ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ଉତ୍କଳଗୋରବଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମ କରାଯାଇଥିଲା । ଓଡିଶାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ସମେତ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ରାଜ ଭବନ ଛକସ୍ଥିତ ମଧୁବାବୁଙ୍କ ପ୍ରତିମୂର୍ତିରେ ପୁଷ୍ପଗୁଚ୍ଛ ପ୍ରଦାନ ଓ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।
Death Anniversary of Utkal Gourav Madhusudan Das