ରାଜଧାନୀର ଏକ ଘରୁ ମିଳିଲା ନବଦମ୍ପତିଙ୍କ ମୃତଦେହ

ଭୁବନେଶ୍ୱର: ମାତ୍ର ୩ ମାସ ତଳେ ବିବାହ ହୋଇଥିଲା। ସାରା ଜୀବନ ପରସ୍ପରର ସୁଖଦୁଃଖରେ ଭାଗିଦାର ହେବା ନିମନ୍ତେ ପରସ୍ପରକୁ କଥା ଦେଇଥିଲେ। ହେଲେ ନୂଆ ଜୀବନ ଆରମ୍ଭ କରୁ କରୁ ସବୁ ଛାରଖାର ହୋଇଗଲ। ରାଜଧାନୀର ଏକ ଘର ଭିତରୁ ନବ ଦମ୍ପତିଙ୍କ ମୃତଦେହ ଉଦ୍ଧାର ହେବା ପରେ ଏହା ସ୍ଥାନୀୟ ଅଂଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଲିଙ୍ଗରାଜ ଥାନା କେଉଟ ସାହିରେ ଏପରି ଅଭାବନୀୟ ଘଟଣା ଘଟିଛି।

ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ଲିଙ୍ଗରାଜ ଥାନା ପୁଲିସ୍‌ ପହଂଚି ତଦନ୍ତ ଆରମ୍ଭ କରିଛି। ଫ୍ୟାନ୍‌ରେ ଝୁଲନ୍ତା ଅବସ୍ଥାରେ ସ୍ୱାମୀଙ୍କ ମୃତଦେହ ଉଦ୍ଧାର ହୋଇଛି। ଏହାପରେ ବେଡ୍ ତଳେ ମରି ପଡ଼ିଥିବା ସ୍ତ୍ରୀର ମୃତଦେହ ଉଦ୍ଧାର କଲା ପୁଲିସ୍‌।

ସ୍ୱାମୀ ଖବରକାଗଜ ହକର ଥିଲେ। ହସଖୁସିରେ ଉଭୟଙ୍କ ସଂସାର ଚାଲିଥିବା ବେଳେ କେଉଁ ପରିସ୍ଥିତିରେ ଓ କିପରି ସେମାନଙ୍କ ମୃତ୍ୟୁ ହେଲା ତା’ର ଛାନିଭିତ କରୁଛି ଲିଙ୍ଗରାଜ ଥାନା ପୁଲିସ୍‌। ଏହା ଆତ୍ମହତ୍ୟା ନା ହତ୍ୟା ସେ ସମ୍ପର୍କରେ କିଛି ସ୍ପଷ୍ଟ ହୋଇ ନ ଥିବା ବେଳେ ପୁଲିସ୍‌ ପଡ଼ୋଶୀଙ୍କୁ ପଚରାଉଚରା କରୁଛି।