୩୦ ଫୁଟ ମୃତ ତିମି ଉଦ୍ଧାର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବଟେଶ୍ୱର ବେଳାଭୂମିରୁ ଆଜି ସକାଳେ ଏକ ତିମିର ମୃତଦେହ ଉଦ୍ଧାର କରାଯାଇଛି । ତେବେ ଏହି ମୃତ ତିମିର ଲମ୍ବ ୩୦ ଫୁଟ ଥିବା ଜଣାପଡିଛି ।

ଖବର ଅନୁସାରେ, ଗଞ୍ଜାମ ଜିଲ୍ଲାର ଖଲିକୋଟ ବନ ବିଭାଗ ରେଞ୍ଜ ନିକଟରେ ଥିବା ବଟେଶ୍ୱର ବେଳାଭୂମିରେ ପ୍ରାୟ ୩୦ ଫୁଟ ଲମ୍ବା ଏକ ମୃତ ତିମିକୁ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ସେମାନେ ଏସଂପର୍କରେ ବନ ବିଭାଗକୁ ସୂଚନା ଦେଇଥିଲେ।

ଖବରପାଇ ବଟେଶ୍ୱର ବେଳାଭୂମିରେ ବନ ବିଭାଗ କର୍ମଚାରୀମାନେ ପହଂଚିଥିଲେ ଏବଂ ସେଠାରୁ ଉକ୍ତ ମୃତ ତିମିକୁ ଉଦ୍ଧାର କରିଥିଲେ। ତେବେ କିପରିଭାବେ ଏହି ତିମିର ମୃତ୍ୟୁ ହୋଇଛି, ତାହା ଜଣାପଡ଼ିନାହିଁ। ଏବେ ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ମୃତ ତିମିର ପୋଷ୍ଟମର୍ଟମ କରାଯିବ ବୋଲି ଜଣାଯାଇଛି। ଏହାପରେ ହୁଏତ ମୃତ ତିମିର ମୃତ୍ୟୁ ରହସ୍ୟ ଖୋଲିବ ବୋଲି କୁହାଯାଉଛି। ବନ ବିଭାଗ ପକ୍ଷରୁ ଏସଂପର୍କରେ ତଦନ୍ତ ଆରମ୍ଭ ହୋଇଥିବାର ସୂଚନା ମିଳିଛି। ଏହି ଘଟଣା ଏବେ ସେହି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।