ଝିଅ ଶବ କାନ୍ଧରେ ବୋହି ୮ କିମି ଚାଲିଛି ବାପା

ଗଜପତି : ୮ ଦିନ ପରେ ଝିଅ ଶବ ପାଇ ବାପ ବିକଳ ।  ଗଜପତି ଆତଙ୍କପୁର ଗାଁରେ ଦେଖିବାକୁ ମିଳିଛି ଏଭଳି ଏକ ହୃଦୟ ବିଦାରକ ଘଟଣା । ଝିଅ ଶବ କାନ୍ଧରେ ବୋହି ୮ କିମି ଚାଲିଛି ବାପା । ନା ତାକୁ ମିଳିଛି ପ୍ରଶାସନର ସହାୟତା ନା ଲୋକଙ୍କର ।

ବାପ କାନ୍ଧରେ କୁନି ଝିଅର ମୃତଦେହ । ମୃତଦେହ ଜରି ଅଖା ଧରି ହତଭାଗ୍ୟ  ବାପା ଚାଲିଛି ୮କିଲୋମିଟର ରାସ୍ତା। ଏ ଦୃଶ୍ୟ ଦେଖିଲେ ଛାତିରେ କୋହ ଭରିଯିବ । ହେଲେ ଏ ନେଇ ବାପା ନାଚାର । କାରଣ ତିତ୍‌ଲି ଦେଇଛି ଏମିତି ଦୁଃଖ । ଘଟଣା ଗଜପତି ରାୟଗଡ ଆତଙ୍କପୁର ଗାଁର । ତିତ୍‌ଲି ପରବର୍ତ୍ତୀ ବର୍ଷା ଲାଗିଥିବା ବେଳେ ମୁକୁନ୍ଦ ଦୋରାଙ୍କ ସ୍ତ୍ରୀ ୧୧ ତାରିଖରେ ୩ ପିଲାଙ୍କୁ ଧରି ଗାଁ ପାଖ ନାଳ ପାରି ହେଉଥିଲେ । ହେଲେ ଭାସିଯାଇଥିଲେ ମୁକୁନ୍ଦଙ୍କ ୭ ବର୍ଷୀୟ ଝିଅ ବବିତା ।ବାତ୍ୟା ଛାଡ଼ିଯାଇଥିଲା, ନାଳରୁ ବି ପାଣି ଖସିଗଲା। ଅନେକ ଖୋଜା ଖୋଜି କରିଥିଲେ ବାପାମା। କିନ୍ତୁ ମିଳିନଥିଲା ବବିତା । ଏନେଇ ନିକଟସ୍ଥ ଗାରବନ୍ଧ ଥାନାରେ ଏତଲା ବି ଦିଆଯାଇଥିଲା  । କାଲି ଗାଁ ଠାରୁ ୫ କିଲୋମିଟର ଦୂର ନାଳ ପାଖ ଏକ ବୁଦାରେ ମୃତଦେହ ଲାଗିଥିବା ଏବଂ ଦୁର୍ଗନ୍ଧ ହେଉଥିବା ନେଇ କେହି ଖବର ଦେଇଥିଲେ । ସେଠାକୁ ଦଉଡିଥିଲେ ମୁକୁନ୍ଦ । ମୃତଦେହ ବାହାର କଲାପରେ ଜଣା ପଡିଥିଲା ତାହା ତାଙ୍କ ଝିଅର ମୃତଦେହ ।ପୋଲିସକୁ ବି ଖବର ଦେଇଥିଲେ । ହେଲେ ନା ସେଠାକୁ ଆମ୍ବୁଲାନ୍ସ ପହଞ୍ଚିଥିଲା ନା ଶବ ବୁହା ଗାଡି । ବାଧ୍ୟ ହୋଇ ପୋଷ୍ଟ ମର୍ଟମ୍‌ ପାଇଁ ମୃତଦେହକୁ ଜରି ଅଖାରେ ଗୁଡାଇ କଇଁପୁର ସିଏଚ୍‌ସି ଅଭିମୁଖେ ୮ କିଲୋମିଟରରୁ ଅଧିକ ବାଟ ଚାଲିଥିଲେ ମୁକୁନ୍ଦ।

କଁଇପୁର ନିକଟରେ ଏହି ଘଟଣାକୁ ଦେଖିଥିଲେ କିଛି ଲୋକ । ପରେ ଏହାର ଭିଡିଓ ଭାଇରାଲ୍‌ ହୋଇଥିଲା । ତେବେ କାହିଁକି ମୃତଦେହ ହସ୍ପିଟାଲ୍‌ ନେବାକୁ ପୋଲିସ ବ୍ୟବସ୍ଥା କଲା ନାହିଁ ? ଏନେଇ ପ୍ରଶ୍ନ ଉଠିବା ପରେ ସଫେଇ ଦେଇଛନ୍ତି ପୋଲିସ ଅଧିକାରୀ । କହିଛନ୍ତି ଦୁର୍ଗମ ଅଞ୍ଚଳ ହୋଇଥିବାରୁ ସେଠାକୁ ଆମ୍ବୁଲାନ୍ସ କି ଶବ ବୁହା ଗାଡି ପହଞ୍ଚିବା ସମ୍ଭବ ନଥିଲା ।

ବାପା କାନ୍ଧରେ ଝିଅ ଶବ ବୁହା ହେବା ଘଟଣା ପୁଣି ଦାନ ମାଝି ଘଟଣାକୁ ମନେପକାଇ ଦେଇଛି । ମୃତଦେହକୁ ସମ୍ମାନ ଦେବାକୁ ସରକାରଙ୍କ ଥିବା ଯୋଜନା କିଭଳି କାର୍ଯ୍ୟକାରୀ ହେଉଛି ତାହା ଏହି ଘଟଣାରୁ ସ୍ପଷ୍ଟ ବାରି ହୋଇପଡିଛି ।