ପେଟରେ ଲାଖିଗଲା ଢ଼ାଳ

ଆଠମଲ୍ଲିକ: ପେଟରେ ଲାଖିଗଲା ଢ଼ାଳ । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଏଭଳି ଘଟଣା ଘଟିଛି ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ସାନଦାଦର ଗାଁରେ ।

ସୂଚନାଯୋଗ୍ୟ, ଏହି ଗ୍ରାମର ଝିଲି ନାୟକ ନାମକ ମହିଳାଙ୍କର ଦୀର୍ଘ ଦିନ ଧରି ପେଟ ଯନ୍ତ୍ରଣା ହେଉଥିଲା ।ଏଥିରୁ ମୁକ୍ତି ପାଇବା ପାଇଁ ପାଖରେ ଥିବା ଜଣେ ଗୁଣିଆଙ୍କୁ ଝିଲିଙ୍କ ପରିବାର ଲୋକ ଡାକିଥିଲେ ।

ଗୁଣିଆ ଜଣକ ଝିଲିଙ୍କ ପେଟରେ ଏକ ଦୀପ ରଖି ଢାଳ ଦ୍ୱାରା ଘୋଡାଇଦେଇଥିଲେ । ତେବେ ଦୀପ ଝିଲିଙ୍କ ପେଟରେ ଢଳିଯାଇଥିଲା । ଯାହାଫଳରେ ଝିଲିଙ୍କ ପେଟରେ ଫୋଟକା ହୋଇଯିବା ସଙ୍ଗେ ଢାଳଟି ଲାଖି ରହିଯାଇଥିଲା । ଅସହ୍ୟ ଯନ୍ତ୍ରଣା ଯୋଗୁଁ ଝିଲିଙ୍କୁ ବିଳମ୍ବିତ ରାତିରେ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା ।

ଆଜି ସକାଳେ ସର୍ଜରୀ ବିଭାଗର ଡାକ୍ତର ଏସ.କେ ପଣ୍ଡା ଢାଳଟିକୁ କାଟି କାଢିଥିଲେ । ତେବେ ଅନ୍ଧବିଶ୍ୱାସର ବଶବର୍ତୀ ହୋଇ ମହିଳାଙ୍କ ପରିବାର ଏଭଳି କାମ କରିଥିବାବେଳେ ଗୁଣିଆ ଜଣକ ଫେରାର ହୋଇଯାଇଛନ୍ତି ।