ଆଉ ଦେଖିବାକୁ ମିଳିବନି ଡଙ୍ଗରିଆ ‘ସାଲ୍’!

ରାୟଗଡ଼ା : କପଡ଼ା ଉତ୍ପାଦ‌ ମିଳୁନି, ଶ୍ରମକୁ ନିଅଣ୍ଟ ମୂଲ। ଏମିତି ପରିସ୍ଥିତି ଯୋଗୁ ଡଙ୍ଗରିଆଙ୍କ ବୟନଶିଳ୍ପ ‘ସାଲ୍’ ଇତିହାସ ପାଲଟିବାକୁ ଯାଉଛି। ଡଙ୍ଗରିଆ ସାଲ୍‌ର ଏକମାତ୍ର ବୁଣାକାର ଅସୁସ୍ଥ ହେବାପରେ ଆବଶ୍ୟକ କପଡ଼ା ଉତ୍ପାଦନ ବାଧାପ୍ରାପ୍ତ ହୋଇଛି। ବାହାରୁ ଆସୁଥିବା କପଡ଼ା ଉନ୍ନତମାନର ନ ଥିବା ଯୋଗୁ ଉକ୍ତ କପଡ଼ାରେ ଡଙ୍ଗରିଆଙ୍କ ବିରଳ କଳାକୃତି ସେତେଟା ଆକର୍ଷକ ହୋଇନପାରି ଚମକ ହରାଉଛି। ଫଳରେ ଧୀରେ ଧୀରେ ସାଲ୍ ପ୍ରସ୍ତୁତି ଓ ଡିଜାଇନିଂରୁ ମୁହଁ ଫେରାଇବାରେ ଲାଗିଛନ୍ତି ଡଙ୍ଗରିଆ। ନୂଆ ବୁଣାକାର ସୃଷ୍ଟି ପାଇଁ ସ୍ବତନ୍ତ୍ର ତାଲିମ୍ ଶିବିର ଆୟୋଜନ ଲାଗି ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା (ଡିକେଡିଏ) ରାଜ୍ୟ ସରକାରଙ୍କୁ ଚିଠି ଲେଖିଛି। କିନ୍ତୁ ବୁଣାକାର ସୃଷ୍ଟିରେ ସରକାରୀ ଉଦାସୀନତା କାରଣରୁ ଡଙ୍ଗରିଆଙ୍କ ହସ୍ତଶିଳ୍ପ ସାଲ୍ ଇତିହାସ ପାଲଟିବାକୁ ଯାଉଛି।

ରାମ ହିଆଲ୍। ବୟସ ୬୦। ଡଙ୍ଗରିଆ କନ୍ଧ ହସ୍ତତନ୍ତ ‘ସାଲ୍‌’ର ଏକମାତ୍ର ବୁଣାକାର ଏବେ ବୟସର ଅପରାହ୍ନରେ। ଡିଜାଇନିଂ ପାଇଁ ଉପଯୁକ୍ତ କାରିଗର ଥିବା ବେଳେ ମୁଖ୍ୟ କପଡ଼ା (ଡିଜାଇନ୍ ପୂର୍ବରୁ ପ୍ରସ୍ତୁତ) ଉତ୍ପାଦ କରିବାକୁ ରାମଙ୍କ ଛଡ଼ା ଆଉ କେହି ମନ ବଳାଉ ନାହାନ୍ତି। ଡଙ୍ଗରିଆ ସଂପ୍ରଦାୟର ନ ହୋଇ ମଧ୍ୟ ରାମ ପୂର୍ବ ପୁରୁଷଙ୍କ ବୃତ୍ତିକୁ ବଞ୍ଚାଇ ରଖିବାକୁ ନିଜ ଘର ବିଷମକଟକ ବ୍ଲକ୍ କୁର୍ଲି ପଞ୍ଚାୟତର ଝିଗିଡ଼ି ଗ୍ରାମରେ କପଡ଼ା ପ୍ରସ୍ତୁତ କରି ଚାଲିଛନ୍ତି। କିନ୍ତୁ ବୟସାଧିକ୍ୟ କାରଣରୁ ଏବଂ ବିଭିନ୍ନ ରୋଗରେ ପୀଡ଼ିତ ଯୋଗୁଁ ଗତ ୩ ମାସ ହେଲା ରାମ ପୂର୍ବ ଭଳି ଆଉ କପଡ଼ା ବୁଣି ପାରୁନାହାନ୍ତି। ୨୬୭ ଡଙ୍ଗରିଆ ମହିଳା ସାଲ୍ ଡିଜାଇନିଂ କରୁଥିବାବେଳେ ରାମ ଏକମାତ୍ର ବୁଣାକାର ଭାବେ ଡିଜାଇନ୍ ପାଇଁ ଆବଶ୍ୟକ କପଡ଼ା ପସ୍ତୁତ କରୁଛନ୍ତି। ପୂର୍ବରୁ ରାମ ମାସିକ ୨୫ରୁ ୩୦ଟି କପଡ଼ା ଉତ୍ପାଦନ କରିବାରେ ସକ୍ଷମ ହେଉଥିଲେ। କିନ୍ତୁ ଅସୁସ୍ଥତା କାରଣରୁ ଗତ ୩ ମାସରେ ରାମଙ୍କ ନିକଟରୁ ଡିକେଡିଏ ମାତ୍ର ୨୫ଟି କପଡ଼ା କିଣିଛି। କପଡ଼ା ସଙ୍କଟ ଟାଳିବାକୁ ମୟୂରଭଂଜ ଆଇଟିଡିଏ ଦ୍ବାରା ପ୍ରସ୍ତୁତ କପଡ଼ା ଡିକେଡିଏ କିଣୁଥିବା ବେଳେ ଉକ୍ତ କପଡ଼ା ଡଙ୍ଗରିଆଙ୍କ ସାଲ୍ ପାଇଁ ଉପଯୁକ୍ତ ନୁହେଁ ବୋଲି ଜଣା ପଡ଼ିଛି। ରାମଙ୍କ ଗୋଟିଏ କପଡ଼ାକୁ ଡିକେଡିଏ ୨୫୦ ଟଙ୍କାରେ କିଣୁଥିବା ବେଳେ ମୟୂରଭଂଜରୁ ଆସୁଥିବା କପଡ଼ା ୧୫୦ ଟଙ୍କାରେ ମିଳୁଛି। କପଡ଼ା ବୁଣାରେ ଫରକ ରହିବ‌‌ା ଯୋଗୁ ଡିଜାଇନିଂରେ ପୂର୍ବ ଭଳି ଚମକ ରହୁନି। ସେହିପରି ଗୋଟିଏ ଗୋଟିଏ ସାଲ୍ ଡିଜାଇନିଂ ପାଇଁ ୨ ମାସ ସମୟ ଲାଗୁଥିବାରୁ ଗୋଟିଏ ସାଲ୍ ପାରିଶ୍ରମିକ ବାବଦକୁ ଡିକେଡିଏ କାରିଗରଙ୍କୁ ଦେଉଛି ୫ ଶହ ଟଙ୍କା। ଦୁଇ ମାସର ପରିଶ୍ରମ ପରେ ମାତ୍ର ୫ ଶହ ଟଙ୍କାର ମଜୁରୀରେ କାରିଗରଙ୍କ ପରିବାର ଗୁଜୁରାଣ ମେଣ୍ଟାଇବାରେ ଅକ୍ଷମ ହେଉଥିବାରୁ ଡିଜାଇନିଂ ପାଇଁ ଡଙ୍ଗରିଆ ବିଶେଷ ଗୁରୁତ୍ବ ଦେଉ ନାହାନ୍ତି। ଗତ ୨ ମାସ ହେଲା ଡିକେଡିଏ ଶହେଟି ସାଲ୍ ଡିଜାଇନିଂ ପାଇଁ ଦେଇଥିବା ବେଳେ ବର୍ତମାନ ସୁଦ୍ଧା ଗୋଟିଏ ବି ପ୍ରସ୍ତୁତ ହୋଇନଥିବା ଜଣା ପଡ଼ିଛି। ଡିକେଡିଏ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ୨୦୧୬-୧୭, ୨୦୧୭-୧୮, ୨୦୧୮-୧୯ ଆର୍ଥିକ ବର୍ଷରେ ମୋଟ ୪୨୦ଟି ସାଲ୍ ଡିଜାଇନିଂ ହୋଇ ବିକ୍ରି ହୋଇଛି। ଯାହାର ମାସିକ ହାରାହାରି ପରିମାଣ ମାତ୍ର ୧୨ଟି ସାଲ୍। ଆଗାମୀ ଦିନରେ ଏହାର ପରିମାଣ ଆହୁରି ହ୍ରାସ ପାଇବାକୁ ଯାଉଥିବାରୁ ଡିକେଡିଏ ଡଙ୍ଗରିଆଙ୍କ ଏହି ବିରଳ କଳାକୃତିକୁ ବଞ୍ଚାଇବାକୁ ଅହରହ ଉଦ୍ୟମ ଜାରି ରଖିଛି। ତାଲିମ୍ ଶିବିର ଆୟୋଜନ ପାଇଁ ସରକାରଙ୍କୁ ଦିଆଯାଇଥିବା ପ୍ରସ୍ତାବରେ ୪ଟି ବ୍ୟାଚକୁ (ପ୍ରତି ବ୍ୟାଚ୍‌ରେ ୧୫ ଜଣଙ୍କୁ) ବୁଣାକାର ଓ ଡିଜାଇନିଂ ତାଲିମ୍ ପାଇଁ ଯୋଜନା ରହିଛି। ତାଲିମରେ ଭାଗ ନେବାକୁ ଥିବା ଡଙ୍ଗରିଆ ଯୁବକ, ଯୁବତୀଙ୍କୁ ପାରିଶ୍ରମିକ, କପଡ଼ା, ସୂତା, ତାଲିମଦାତାଙ୍କ ପ୍ରାପ୍ୟ, ରହିବା ଖାଇବା ସୁବିଧା ଓ ସଚେତନତା କାର୍ଯ୍ୟକ୍ରମ ବାବଦକୁ ବିଭାଗ ୫୭ଲକ୍ଷ ୭୪ ହଜାର ଟଙ୍କାର ବ୍ୟୟ ଅଟକଳ କରିଛି। କିନ୍ତୁ ଏହି ପ୍ରସ୍ତାବକୁ ସରକାର ଏଯାବତ୍ ଅନୁମୋଦନ କରି ନାହାନ୍ତି। ଗୋଟିଏ ପଟେ ବିରଳ ବୟନଶିଳ୍ପ କଳାକୃତିକୁ ଜିଆଇ ଟ୍ୟାଗ୍ ପାଇଁ ପ୍ରସ୍ତାବ ସରକାରୀ ନାଲିଫିତା ତଳେ ବନ୍ଧା ପଡ଼ିବା ଏବଂ ଅନ୍ୟପଟେ କପଡ଼ା ଉତ୍ପାଦନ ସଂକଟ ଡଙ୍ଗରିଆ ସାଲ୍ ଶିଳ୍ପର ଭବିଷ୍ୟତକୁ ଅନ୍ଧକାର ଭିତରକୁ ଠେଲି ଦେଇଛି।