ଇଣ୍ଟରନେଟ୍ ଡାନସିଂ ଅଙ୍କଲଙ୍କ ଡାନ୍ସ ଭାଇରାଲ : ବଲିଉଡ୍‌ ଷ୍ଟାର ତାଜୁବ, ମଧ୍ୟପ୍ରଦେଶ ମଖ୍ୟମନ୍ତ୍ରୀ ଶିବରାଜ ସିଂଙ୍କ ଟୁଇଟ୍‌

ଭୁବନେଶ୍ୱର :ଇଣ୍ଟରନେଟ୍ ରେ ଭାଇରାଲ ହୋଇଛନ୍ତି ଡାନସିଂ ଅଙ୍କଲଙ୍କ ଡାନ୍ସ । ୮୦ ଦଶକର ଫିଲ୍ମ ଖୁଦ୍‌ଗର୍ଜର ଏହି ଗୀତରେ ଗୋବିନ୍ଦା ଯେଉଁ  କମାଲ ଦେଖାଇଥିଲେ ସେହିଭଳି କମାଲ୍‌ ଦେଖାଇଛନ୍ତି ଏହି ଡାନ୍ସି ଅଙ୍କଲ । ଯାହା ଏବେ ସୋସିଆଲ୍ ମିଡିଆରେ ଛାଇ ଯାଇଛି । ତାଙ୍କ ଡ୍ୟାନ୍ସ ଦେଖି ବଲିଉଡ୍‌ ଷ୍ଟାରଙ୍କ ଠାରୁ ଆରମ୍ଭକରି ରାଜନେତାଙ୍କ ପର୍ଯ୍ୟନ୍ତ ସମସ୍ତେ ଦିୱାନା । ଚାରିଆଡୁ ତାଙ୍କୁ ଶୁଭେଚ୍ଛାର ଶୁଅ ।

ଇଣ୍ଟରନେଟରେ ଧମାଲ କରୁଛି ଏହି ଡାନସିଂ ଷ୍ଟେପ୍ । ସୋସିଆଲ୍ ମିଡିଆରେ ଛାଇ ଯାଇଛି ତାଙ୍କର ଡ୍ୟାନସ୍‌ । ୮୦ ଦଶକର ଫିଲ୍ମ ଖୁଦ୍‌ଗର୍ଜର ଗୀତ… ମେ ସେ ମୀନା ସେ ନା ସାକି ସେ … ଗୋବିନ୍ଦା ଓ ନୀଲମ ଯେଉଁ ଡ୍ୟାନସ୍ ଷ୍ଟେପ୍‌ ଦେଖାଇଥିଲେ ଠିକ୍‌ ସେହିଭଳି ଡ୍ୟାନ୍ସ ଷ୍ଟେପରେ ନାଚିଛନ୍ତି ଏହି ଅଙ୍କଲ ।… ତାଳରେ ତାଳ ମିଶାଇ ଡ୍ୟାନ୍ସରେ ପୁରା ମଜିଯାଇଥିବା ଏହି ଅଙ୍କଲ ନିଜ ବୟସକୁ ପଛରେ ପକାଇ ଦେଇଛନ୍ତି । ଏହି ନାଚ ଏବେ ଖୁବ୍ ଭାଇରାଲ ହୋଇଛି ।

ଡ୍ୟାନ୍ସ କରୁଥିବା ଏହି ବ୍ୟକ୍ତି ହେଉଛନ୍ତି ଭୋପାଳର ସଞ୍ଜୀବ ଶ୍ରୀବାସ୍ତବ । ତାଙ୍କ ଡାନ୍ସ ଏତେ ପପୁଲାର ହୋଇଛି ଯେ, ସଞ୍ଜୀବଙ୍କୁ ନୂଆ ନାଁ ମିଳିଛି, ଡାନସିଂ ଅଙ୍କଲ । ହାସ୍ ଟ୍ୟାଗ୍ ଡାନସିଂ ଅଙ୍କଲ ନାଁରେ ଭାଇରାଲ ହୋଇ ଚାଲିଛି ଏହି ଡାନ୍ସ ।

ତେବେ ସଞ୍ଜୀବ ଶ୍ରୀବାସ୍ତବ କିଏ । ଖୋଳତାଡ ପରେ ଜଣା ପଡିଛି ସଞ୍ଜୀବ ଶ୍ରୀବାସ୍ତବ ହେଉଛନ୍ତି ଭୋପାଳ ଭାବା ଇଞ୍ଜିନିୟରିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଇଲେକ୍ଟ୍ରୋନିକ୍ସ ଡିପାର୍ଟମେଣ୍ଟର ଆସୋସିଏଟ୍ ପ୍ରଫେସର । ଗୋଆଲିଅରରେ ଜଣେ ସଂପର୍କୀୟଙ୍କ ବିବାହ ଉତ୍ସବରେ ନାଚୁଛନ୍ତି ପ୍ରଫେସର ସଞ୍ଜୀବ । ମଞ୍ଚରେ ସଞ୍ଜୀବଙ୍କ ସହ ଅଛନ୍ତି ତାଙ୍କ ପତ୍ନୀ ଅଞ୍ଜଳି । ସଞ୍ଜୀବ ଶ୍ରୀବାସ୍ତବଙ୍କ କହିବା କଥା ସେ ଡାନ୍ସ କରିବାକୁ ଖୁବ ଭଲ ପାଆନ୍ତି । ଡାନସିଙ୍ଗରେ ନାଁ କମାଇବାକୁ ଭାବୁଥିଲେ ବି ହେଲାନି, ଇଞ୍ଜିନିୟରିଂ ରେ ପଶିଲେ । ହେଲେ ଏହି ଗୋଟିଏ ଛୋଟ ଭିଡିଓ ତାଙ୍କ ଭିତରେ ଥିବା ପ୍ରତିଭାକୁ ଡେରିରେ ହେଲେ ବି ଉତାରି ଆଣିଛି ।

ସଂଜୀବଙ୍କ ଏହି ଡ୍ୟାନ୍ସ ଷ୍ଟେପର ଭିଡିଓ ଫେସବୁକ୍, ହ୍ୱାଟସ୍ଅପ୍ ଏବଂ ଟୁଇଟରରେ ଖୁବ୍‌ ସେୟାର ହେଉଥିବା ବେଳେ ଖୁବ୍ ଲାଇକ୍ ମିଳୁଛି । ସଂଜୀବଙ୍କ ଡ୍ୟାନ୍ସ ଦେଖି ବଲିଉଡ୍‌ ଷ୍ଟାର ବି ତାଜୁବ । ଅନୁଷ୍କା ଶର୍ମା କହିଛନ୍ତି ସେ ଏଭଳି ଡ୍ୟାନ୍ସ ସେ ବି କରିପାରିବେନି । ମଧ୍ୟପ୍ରଦେଶ ମଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ତ ଟୁଇଟ୍‌ କରିକହିଛନ୍ତି ଇଣ୍ଟରନେଟ୍‌ର ଆପଣଙ୍କ ଡ୍ୟାନ୍ସ ତେହଲକା ମଚାଇଛି । ଏଥିରୁ ଜଣାପଡୁଛି ଯେ ମଧ୍ୟପ୍ରଦେଶ ମାଟିରେ ତ ନିଶ୍ଚିତ କିଛି ଖାସ୍ ଅଛି । ସେହିଭଳି ବରିଷ୍ଠ ପତ୍ରକାର ବର୍ଖା ଦତ୍ତ ବି ସଂଜୀବଙ୍କ ଡ୍ୟାନସକୁ ଟୁଇଟରରେ ଖୁବ୍‌ ତାରିଫ କରିଛନ୍ତି ।