ପୁରୀ ଜିଲ୍ଲାର ୩ ଅଂଚଳ ୧୦ଯାଏଁ ସଟ୍ ଡାଉନ୍‌

ପୁରୀ: ଗତକାଲି ପୁରୀ ଜିଲ୍ଲା ପିପିଲି ଥାନା ଅନ୍ତର୍ଗତ ଦାନଗହିର ଗାଁରେ କରୋନା ପଜିଟିଭ ଚିହ୍ନଟ ହେବା ପରେ ପିପିଲ ଥାନା ଅନ୍ତର୍ଗତ ୩ ଅଂଚଳକୁ ୧୦ଦିନ ଯାଏଁ ସଟ୍ ଡାଉନ୍ ଘୋଷଣା କରାଯାଇଛି । ଦାନଗହିର, ଜୟପୁର ଛକ ଓ ଜୟପୁର ଶାସନ ଏହି ୩ ଅଂଚଳକୁ ସିଲ କରିବା ସହ ଜିଲ୍ଲା ପ୍ରଶାସନ ସଟ୍ ଡାଉନ୍ ଘୋଷଣା କରିଛି ।

ଆଜି ସକାଳ ୭ଟାରୁ୧୪ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଏହି ବନ୍ଦ ଜାରି ରହିବ ନେଇ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି। ଫଳରେ ଦାନଗହିର ସମେତ ଜୟପୁର ଛକ ଓ ଜୟପୁର ଶାସନ ଛକରେ  ରହୁଥିବା କୌଣସି ବାସିନ୍ଦା ବାହାରକୁ ଯିବେ ନାହିଁ  କିମ୍ୱା ବାହାରର କୌଣସି ଲୋକ ଏହି ଅଂଚଳକୁ ପ୍ରବେଶ କରିପାରିବେ ନାହିଁ । ପୁରୀ ଉପଜିଲ୍ଲାପାଳ ବିଭିନ୍ନ ମାଧ୍ୟମରେ ସେଠାରେ ଅତ୍ୟାବଶ୍ୟକ ସାମଗ୍ରୀ ତଥା ଚିକିତ୍ସା ଆବଶ୍ୟକତା ଯୋଗାଣ ବ୍ୟବସ୍ଥା କରିବେ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଏହା ଛଡା ସ୍ଥାନୀୟ ଅଂଚଳରେ ଥିବା ସମସ୍ତ ବ୍ୟାବସାୟିକ ପ୍ରତିଷ୍ଠାନକୁ ତୁରନ୍ତ ବନ୍ଦ କରିବାକୁ ନିର୍ଦେଶ ଦିଆଯାଇଛି ।