ଦାମ- ବିଷ୍ଣୁ କଳି ତେଜୁଛି : ଦାମଙ୍କ ଦମ ଆଉ ନାହିଁ,ମୁଁ ପାରାଦୀପରୁ ଲଢିବି !

ଭୁବନେଶ୍ବର : ଶାଶୁର ପାଳିଏକୁ ବୋହୂର ପାଳିଏ । ଏମିତି ଲାଗିଛନ୍ତି ଜଗତସିଂହପୁରର ଦୁଇ ଦିଗ୍ଗଜ ଦାମୋଦର ରାଉତ ଓ ବିଷ୍ଣୁ ଦାସ । ଦାମ ବାବୁ ବିଜେଡିରୁ ବିଦା ହେବା ପରେ ଏହି ଦୁଇ ନେତାଙ୍କ କଳି ବଢିବାରେ ଲାଗିଛି । ଦାମଙ୍କ ପଛରେ ଏବେ ଲୋକ ନଥିବା ବେଳେ ପାରାଦୀପରୁ ଲଢ଼ିବାକୁ ମନ ବଳାଇଛନ୍ତି ବିଷ୍ଣୁ । ସେପଟେ ପାରାଦୀପ ତ ପାରାଦୀପ, ଜିଲ୍ଲାର ୪ଟି ଯାକ ଆସନରେ ବିଜେଡିକୁ ଜିତେଇ ଦେବିନି ବୋଲି ଚେତାଇ ଦେଇଛନ୍ତି ଦାମ ବାବୁ ।
ଦାମ-ବିଷ୍ଣୁ କଳିର ଆଉ ଏକ ଏପିସୋଡ୍ । ଶାଶୁର ପାଳିଏକୁ ବୋହୂର ପାଳିଏ ଭଳି ଲାଗିଛନ୍ତି ଏହି ଦୁଇ ନେତା । ଦାମ ବାବୁ ବିଜେଡିରୁ ବିଦା ହେବା ପରେ ତାଙ୍କ ଗଡ଼ ଉପରେ ନଜର ପକାଇଲେଣି ବିଷ୍ଣୁ ଦାସ । ଦଳରୁ ଯିବା ପରେ ଦାମ ବାବୁ ଏବେ ଏକୁଟିଆ । ତାଙ୍କ ଆଗରେ କି ପଛରେ ନେତା କିମ୍ବା କର୍ମୀ ନାହାନ୍ତି । ତେଣୁ ଦଳ ଚାହିଁଲେ ସେ ପାରାଦୀପରୁ ଲଢ଼ିବେ ଏବଂ ଜିତିବେ ବୋଲି କହିଲେଣି ଜଗତସିଂହପୁର ଜିଲ୍ଲା ବିଜେଡି ସଭାପତି ବିଷ୍ଣୁ ଦାସ ।

ବିଷ୍ଣୁଙ୍କ ପାଟିରୁ କଥା ନସରୁଣୁ ଜବାବ ଦେଇଛନ୍ତି ଦାମ ବାବୁ । ବିଷ୍ଣୁ ଅବାଞ୍ଛିତ, ତାଙ୍କ ସମାସ୍କନ୍ଧ ନୁହେଁ ବୋଲି ଦୋହରାଇବା ସହ କହିଛନ୍ତି, ଆଉ ଥରେ ବିଧାୟକ ହେବା ବିଷ୍ଣୁ ଦାସଙ୍କ ଜାତକରେ ନାହିଁ । ପାରାଦୀପ ତ ପାରାଦୀପ, ଜଗତସିଂହପୁର ଜିଲ୍ଲାର ୪ଟି ଯାକ ଆସନରେ ବିଜେଡି ଜିତିବା ପ୍ରଶ୍ନ ଉଠୁନି ବୋଲି ଚ୍ୟାଲେଞ୍ଜ ଦେଇଛନ୍ତି ଦାମ ବାବୁ ପାରାଦୀପ ବିଧାୟକ ଦାମୋଦର ରାଉତ ।
ବିଜେଡି ରାଜନୀତିରେ ଜଗତସିଂହପୁରର ଏଦି ଦୁଇ ଦିଗ୍ଗଜ ନେତାଙ୍କ କଳି ବେଶ୍ ପୁରୁଣା । ତେବେ ଦାମ ବାବୁ ବିଜେଡିରୁ ନିଲମ୍ବିତ ହେବା ପରେ ପୁରୁଣା କଳି ପୁଣି ତାଜା ହୋଇଛି । ପରସ୍ପରକୁ ଦେଖେଇ ଶିଖେଇ ପରସ୍ପରର ଗୋଇ ତଡ଼ାତଡ଼ିରେ ମାତିଛନ୍ତି ଏହି ଦୁଇ ନେତା