ଚାରା ଘୋଟଲା ପ୍ରସଙ୍ଗ : ଦାମ – ମହାରଥୀ କଥା କଟା କଟି

ଭୁବନେଶ୍ବର : ଚାରା ଘୋଟଲା ପ୍ରସଙ୍ଗରେ ପୂର୍ବତନ କୃଷି ମନ୍ତ୍ରୀ  ଦାମୋଦର ରାଉତ ମୁହଁ ଖୋଲିବା ପରେ ପ୍ରସଙ୍ଗ ଉଠିଛି ବିଧାନସଭାରେ । ଘୋଟାଲରେ  କିଏ କିଏ ସାମିଲ୍ ଏବଂ ଦୁର୍ନୀତିର ଗଡ୍ ଫାଦର୍ କିଏ ତାହାର ସିବିଆଇ ତଦନ୍ତ ଦାବିରେ ହଟ୍ଟଗୋଳ କରିଛି ବିଜେପି । ସେପଟେ ପାଦେ ଆଗକୁ ଯାଇ ମନ୍ତ୍ରୀ ମହାରଥୀଙ୍କୁ ଆଜି ପୁଣି ଟାର୍ଗେଟ କରିଛନ୍ତି ଦାମବାବୁ । ମହାରଥୀ ହିଁ ତାଙ୍କ ମନ୍ତ୍ରୀ ପଦ ଯିବା ପଛର ଭାଗୀଦାର୍ କହିବା ସହ ଓମଫେଡର ୩୦ କୋଟି ଘୋଟାଲାର ନୂଆ ଆରୋପ ଆଣିଛନ୍ତି । ଯାହାର ଜବାବ ରଖିଛନ୍ତି ମହାରଥୀ । ସେପଟେ ଚାରା ଘୋଟାଲା ଅଭିଯୋଗରେ ନିଲମ୍ବନ ପରେ ପୁନଃ ନିଯୁକ୍ତି ପାଇଥିବା କୃଷି ଅଧିକାରୀ କହୁଛନ୍ତି, ସେ ନିର୍ଦ୍ଦୋଷ ।

ଚାରା ଘୋଟାଲାକୁ ନେଇ ମୁହାଁମୁହିଁ । ପର୍ବତନ କୃଷିମନ୍ତ୍ରୀ ଓ ବର୍ତ୍ତମାନର କୃଷିମନ୍ତ୍ରୀଙ୍କ ଭିତରେ ଆରୋପ ପ୍ରତ୍ୟାରୋପ । କାହା ସମୟରେ ଦୁର୍ନୀତି ହୋଇଛି, ତାକୁ ନେଇ ଚାଲିଛି କଥା କଟା କଟି । ୧୭ କୋଟି ନୁହେଁ  ଶହେ କୋଟିର ଦୁର୍ନୀତି ହୋଇଛି ବୋଲି ଯୁକ୍ତି ବାଢିଛନ୍ତି ଦାମ ବାବୁ। ମହାରଥୀଙ୍କ  ସମୟରେ ସବୁ ଦୁର୍ନୀତି ହୋଇଥିବା ଗୁମର ଖୋଲିଛନ୍ତି । ପୁଣି କହିଛନ୍ତି, ମହାରଥୀ ହିଁ ତାଙ୍କ ମନ୍ତ୍ରୀ ପଦ ଯିବା ପଛରେ ଭାଗିଦାରୀ । ଓମଫେଡ ଦୁର୍ନୀତିର ପେଡ଼ି ମଧ୍ୟ ଖୋଲିଛନ୍ତି ଦାମବାବୁ । ସେପଟେ ମହାରଥୀ କୋଉ ଛାଡ଼ିବା ଲୋକ ! ସେ ବି ଦାମବାବୁଙ୍କୁ ଆଟାକ୍ କରିବାକୁ ଭୁଲି ନାହାନ୍ତି ।

ବିଧାନସଭାରେ ଉଠିଛି ଚାରା ଘୋଟାଲା ପ୍ରସଙ୍ଗ । ଦୁର୍ନୀତି ପଛର ଗଡ୍ ଫାଦର୍ କିଏ ? ଚାରା ଘୋଟାଲାରେ ଶହେ କୋଟି ଯାଇଛି କୁଆଡେ ? ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ପ୍ରଶ୍ନକାଳ ଆରମ୍ଭରୁ ବିଜେପି ସଦସ୍ୟମାନେ ହୋହଲ୍ଲା କରିବା ସହ ସିବିଆଇ ତଦନ୍ତ ଦାବି କରିଛନ୍ତି । ସେପଟେ ଆଲୋଚନା ନକରି ପ୍ରଶ୍ନକାଳ ବନ୍ଦ କରିବାକୁ ବିଜେଡି ନାପସନ୍ଦ କରିଛି ।

ମୟୂରଭଞ୍ଜରେ ଥିବା ବେଳେ ଚାରା ଘୋଟାଲାରେ ଛନ୍ଦି ହୋଇ ନିଲମ୍ବିତ ହୋଇଥିବା କୃଷି ଅଧିକାରୀ ଧରଣୀଧର ପାତ୍ର, ପୁନଃ ନିଯୁକ୍ତି ପାଇ ଏବେ ନୟାଗଡ଼ ଡିଡିଏ ଅଛନ୍ତି । ତାଙ୍କ ବିରୋଧରେ ତଦନ୍ତ ଚାଲୁଥିବା ମନ୍ତ୍ରୀ କକହୁଥିବା ବେଳେ ଧରଣୀଧର କିନ୍ତୁ କହୁଛନ୍ତି ସେ ନିର୍ଦ୍ଦୋଷ ।

ଚାରା ଘୋଟାଲାକୁ ନେଇ ସରକାରୀ ଦଳର ଦୁଇ ବରିଷ୍ଠ ନେତା ତଥା ଜଣେ ପୂର୍ବତନ କୃଷିମନ୍ତ୍ରୀ ଓ ଆଉ ଜଣେ ବର୍ତ୍ତମାନର କୃଷିମନ୍ତ୍ରୀଙ୍କ ମଧ୍ୟରେ ଟଣା-ଓଟରା । ଯାହା ବିରୋଧୀଙ୍କୁ ଭଲ ଖୋରାକ୍ ଦେଇଥିବା ବେଳେ ସରକାରଙ୍କୁ ହରଡ଼ଘଣାରେ ପକାଇଛି ।