ଦୀପାବଳୀରେ ଦାମଙ୍କ ଫୋଟକା, ଖୁବ ଶିଘ୍ର ଗଢିବେ ନୂଆ ଦଳ, ନିଶାନାରେ ବିଜେଡି ଓ ନବୀନ

ଭୁବନେଶ୍ବର  :  ଦୀପାବଳିରେ ଦାମ ଫୁଟାଇଲେ ବାଣ । ନୂଆ ଦଳ ଗଢ଼ିବେ ବୋଲି କହିଲେ । ଆଗରୁ କହିଥିଲେ, ଅକ୍ଟୋବର ସୁଦ୍ଧା ନୂଆ ଦଳ ଗଢ଼ିବେ ବୋଲି । କିନ୍ତୁ ତାର ରୂପରେଖ ସାମ୍ନାକୁ ଆସି ନଥିବା ବେଳେ ଏବେ କହିଲେଣି ଖୁବ୍ ଶୀଘ୍ର ଏକ ଆଞ୍ଚଳିକ ଦଳର ମୂଳଦୁଆ ପଡ଼ିବ । ନିର୍ବାଚନ କମିଶନଙ୍କ ନିକଟରେ କାଗଜପତ୍ର ଦାଖଲ କରିବାରେ ବିଳମ୍ବ ହେଉଥିବାରୁ ନୂଆଦଳ ଗଠନ ବିଳମ୍ବ ହେଉଥିବା କହିଛନ୍ତି ଦାମ । ତେବେ ଏହି ମାସରେ ତାହା ନିଶ୍ଚିତ ବୋଲି ଦମ୍ଭର ସହ କହିଛନ୍ତି ଦାମ ବାବୁ । ନୂଆ ଦଳ, ନିଶାନାରେ ବିଜେଡି ଓ ନବୀନ ରହିବେ ବୋଲି କହିଛନ୍ତି ସେ ।

ପୁଣି ଦାମ ଦୋହରଇଲେ ନୂଆ ଦଳ କଥା । ଖୁବ୍ ଶୀଘ୍ର ଏକ ଆଞ୍ଚଳିକ ଦଳ ଗଠନ ହେବ । ଯାହା ମାସେ ଭିତରେ ସାମ୍ନାକୁ ଆସିବ ବୋଲି କହିଛନ୍ତି । ବିଜେଡିରୁ ବହିଷ୍କାର ପରେ ନୂଆ ଦଳ ଗଢିବେ ବୋଲି କହିଥିଲେ ଦାମବାବୁ । ଡେଡଲାଇନ୍ ଅକ୍ଟୋବର ଦେଇଥିଲେ । କିନ୍ତୁ ନଭେମ୍ବର ହୋଇ ସାରିଥିଲେ ମଧ୍ୟ ନୂଆ ଦଳର ଚିହ୍ନବର୍ଣ୍ଣ ଦେଖିବାକୁ ମିଳିନି । ଦାମ କିନ୍ତୁ କହୁଛନ୍ତି, ନୂଆଦଳ ପାଇଁ ନିର୍ବାଚନ କମିଶନଙ୍କ ନିକଟରେ ଯାହା କାଗଜପତ୍ର ଦେବାକୁ ପଡ଼ିବ, ତାହା ପ୍ରସ୍ତୁତ ହୋଇ ସାରିଛି । ବୈଜୟନ୍ତ ପଣ୍ଡା କୁଆଡ଼େ ଏ ପ୍ରସଙ୍ଗରେ ଦିଲ୍ଲୀରେ ବୁଝାବୁଝି କରୁଛନ୍ତି । ବିଳମ୍ବ ହୋଇଥିଲେ ବି ଏଇ ମାସେ ଭିତରେ ନୂଆ ଦଳ ନିଶ୍ଚୟ ଘୋଷଣା ହେବ । ତେବେ କେଉଁମାନେ ନୂଆ ଦଳରେ ସାମିଲ ହେବେ ସେ କାର୍ଡ ଖୋଲି ନାହାଁନ୍ତି ଦାମ ବାବୁ । ଖାଲି ଏତିକି କହୁଛନ୍ତି, ନୂଆ ଦଳରେ ଯେଉଁମାନଙ୍କୁ ସାମିଲ୍ ପାଇଁ କଥାବାର୍ତ୍ତା ହେଉଛି, ବିଜେଡି, ସେମାନଙ୍କୁ ପ୍ରଲୋଭିତ କରିବାକୁ ଚେଷ୍ଟା କରୁଛି ।

ଦାମଙ୍କ କହିବା କଥା, କଂଗ୍ରେସ ଏବେ ଡିଭାଇଡେଡ୍ ହାଉସ୍, ଆଉ ୧୨୦ ପ୍ଲସ୍- ବିଜେପି ପାଇଁ ଦିବା ସ୍ବପ୍ନ । ଏଭଳି ସ୍ଥିତିରେ ବିଜେପି କିମ୍ବା କଂଗ୍ରେସ ସହ ଦାମଙ୍କ ତାଙ୍କ ନୂଆ ଦଳ ମେଣ୍ଟ କରିବା ପ୍ରଶ୍ନ ଉଠୁନି । ବିଜେଡି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଁ ନିଶାନାରେ ରହିବେ । ବିଜେଡି, ଦାମଙ୍କ ନୂଆ ଦଳ ଗଢ଼ିବା ପ୍ରସଙ୍ଗକୁ ଗୁରୁତ୍ବ ଦେଇନି । ସେପଟେ ବିଜେପି କହୁଛି, ଦାମ ବାବୁଙ୍କ ନୂଆ ଦଳର ବାସ୍ତବ ରୂପ ଓ ରଣନୀତିକୁ ଅପେକ୍ଷା କରିଛି ।

ବିଜେଡିରୁ ଯିବା ପର ଠାରୁ ସରକାର ବିରୋଧରେ ବିଷୋଦଗାର କରି ଚାଲିଛନ୍ତି ଦାମ ବାବୁ । ଆଉ ଏବେ କହିଲେଣି ନୂଆଦଳ ଗଢ଼ି ବିଜେଡିକୁ ନିଶାନା କରିବେ ।