ପୁଣି ଚର୍ଚ୍ଚାରେ ଡାବୁଗାଁ ବିଧାୟକ, ମୃତଦେହକୁ କାନ୍ଧରେ ବୋହି ନେଲେ ଶ୍ମଶାନ

ନବରଙ୍ଗପୁର: ସର୍ବଦା ଚର୍ଚ୍ଚାରେ ରହୁଥିବା ନବରଙ୍ଗପୁର ଜିଲ୍ଲା ଡାବୁଗାଁର ବିଜେଡି ବିଧାୟକ ମନୋହର ରନ୍ଧାରୀ ପୁଣି ଥରେ ଚର୍ଚ୍ଚାରେ । ଦଳୀୟ କର୍ମୀଙ୍କ ମୃତଦେହକୁ କାନ୍ଧରେ ବୋହି ଚର୍ଚ୍ଚାର କେନ୍ଦ୍ରବିନ୍ଦୁକୁ ଆସିଛନ୍ତି ବିଧାୟକ ।

ରବିବାର ବିଧାୟକ ମନୋହର ରନ୍ଧାରୀ ନିଜ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କେନ୍ଦୁଗୁଡା ଗାଁର ଇନ୍ଦ୍ର ଗୌଡ ନାମକ ବିଜେଡି କର୍ମୀଙ୍କ ଶନିବାର ରାତିରେ ମୃତ୍ୟୁ ହୋଇଛି । ଖବର ପାଇଁ ବିଧାୟକ କେନ୍ଦୁଗୁଡା ଗାଁକୁ ଯିବା ସହ ମୃତ କର୍ମୀଙ୍କ ପରିବାରକୁ ଭେଟିଛନ୍ତି । ଏହା ସହ ଇନ୍ଦ୍ରଙ୍କ ମୃତଦେହକୁ ଦୁଇ କିଲୋମିଟର କାନ୍ଧରେ ବୋହି ଶ୍ମଶାନରେ ପହଞ୍ଚିଥିଲେ ।

ପୂର୍ବରୁ ଅନେକ କାମ କରି ଚର୍ଚ୍ଚା ରହିଆସିଛନ୍ତି ବିଧାୟକ ମନୋହର ରନ୍ଧାରୀ । କେବେ କେଦାଳ ଧରି ରାସ୍ତା ସମତୁଲ କରୁଛନ୍ତି ତ ଆଉ କେବେ ବିଲରେ କାମ କରୁଥିବା ଆଦିବାସୀ ମହିଳାଙ୍କ ସହ ଢେମସା ନୃତ୍ୟ । କେବଳ ସେତିକି ନୁହେଁ ଗତ କିଛି ଦିନ ତଳେ ଆଶ୍ରମ ବିଦ୍ୟାଳୟକୁ ଯାଇ ଛାତ୍ରଛାତ୍ରୀଙ୍କୁ ଭୋଜନ ପରିବେଷଣ କରି ଚର୍ଚ୍ଚାର ପରିସରକୁ ଆସିଥିବାବେଳେ ଜିଲ୍ଲାସ୍ତରୀୟ ଅଫିସରଙ୍କ ଉପରେ ବିଷୋଦଗାର ପ୍ରକାଶ କରି ନିଜକୁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରାଇଥିଲେ ବିଧାୟକ ।