ମାଡି ଆସୁଛି ବାତ୍ୟା : ରାତିରେ ଟପିବ ଗୋପାଳପୁର,ସତର୍କ ସୂଚନା ଜାରି, ୫ ଜିଲ୍ଲାର ଛୁଟି ବାତିଲ 

ଭୁବନେଶ୍ୱର : ବଙ୍ଗୋପସାଗରରେ ଡିପ୍ ଡିପ୍ରେସନ୍ ବାତ୍ୟାର ରୂପ ନେବାକୁ ଯାଉଛି । ମଧ୍ୟରାତ୍ରି ସୁଦ୍ଧା ଏହା ଗୋପାଳପୁର ଅତିକ୍ରମ କରିବାର ସମ୍ଭାବନା ରହିଛି । ଦକ୍ଷିଣ ଓଡ଼ିଶାରେ ବାତ୍ୟାର ପ୍ରଭାବ ପଡ଼ିବ । ଡିପ୍ ଡିପ୍ରେସନ ଅପରାହ୍ନ ସୁଦ୍ଧା ଗୋପାଳପୁରଠାରୁ ୨୭୦ କିଲୋମିଟର ଏବଂ ଆନ୍ଧ୍ରର କଳିଙ୍ଗପଟନମରୁ ୨୯୦ କିଲୋମିଟର ଦୂରରେ ରହିଛି । ଏହା ଘଣ୍ଟାପ୍ରତି ୧୨ କିଲୋମିଟର ବେଗରେ ଓଡିଆ ଓ ଆନ୍ଧ୍ର ଉପକୂଳ ମୁହାଁ ହେଉଛି । ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଲାଗି ରହିଥିବା ବେଳେ ପ୍ରବଳ ବର୍ଷା ନେଇ ଦେଶର ୮ଟି ରାଜ୍ୟକୁ ସତର୍କ କରାଯାଇଛି ।
ଆସୁଛି ବାତ୍ୟା । ଭାରତୀୟ ପାଣିପାଗ ବିଭାଗ ଏଭଳି ସତର୍କ ସୂଚନା ଜାରି କରିଛି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଡିପ୍ ଡିପ୍ରେସନ ସଂଧ୍ୟା ସୁଦ୍ଧା ବାତ୍ୟାର ରୂପ ନେବ । ଆଜି ମଧ୍ୟରାତ୍ରି ସୁଦ୍ଧା ଏହା ଗୋପାଳପୁର ଅତିକ୍ରମ କରିବାର ସମ୍ଭାବନା ରହିଛି । ଏବେ ଡିପ୍ ଡିପ୍ରେସନ ଗୋପାଳପୁରଠାରୁ ୨୭୦ କିଲୋମିଟର ଏବଂ ଆନ୍ଧ୍ରର କଳିଙ୍ଗପଟନମରୁ ୨୯୦ କିଲୋମିଟର ଦୂରରେ ରହିଛି । ଦେଖନ୍ତୁ ଏ ହେଉଛି ସାଟେଲାଇଟ ଇମେଜ। ଘଣ୍ଟାପ୍ରତି ୧୨କିଲୋମିଟର ବେଗରେ ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଓଡିଶା ଏବଂ ଆନ୍ଧ୍ର ଉପକୂଳ ମୁହାଁ ହେଉଛି । ଏହାର ପ୍ରଭାବରେ ଉପକୂଳ ଏବଂ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ଏହି ସମୟରେ ସମୁଦ୍ର ଅଶାନ୍ତ ରହିବା ସହ ସର୍ବାଧିକ ୮୦ କିଲୋମିଟର ବେଗରେ ପବନ ବୋହିବାର ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଦୁଇ ଦିନ ଧରି ପ୍ରବଳ ବର୍ଷା ହେବ । ତେଣୁ ମତ୍ସ୍ୟଜୀବୀମାନଙ୍କୁ ୪୮ ଘଣ୍ଟା ପର‌୍ୟ୍ୟନ୍ତ ସମୁଦ୍ରକୁ ନଯିବାକୁ ପରାମର୍ଶ ଦିଆଯାଇଛି । ଏଥିସହ ରାଜ୍ୟର ୩ଟି ଯାକ ବନ୍ଦରରେ ୩ନମ୍ବର ସତର୍କ ସଂକେତ ଜାରି କରାଯାଇଛି ।

ସେପଟେ ସମ୍ଭାବ୍ୟ ବାତ୍ୟ ଓ ବର୍ଷା ପାଇଁ ୨୧ ଜିଲ୍ଲାକୁ ସତର୍କ କରିଦିଆଯାଇଛି । ଗଂଜାମ, ଗଜପତି, ଖୋର୍ଦ୍ଧା, ନୟାଗଡ ଏବଂ ପୁରୀରେ ଅଧିକ ପ୍ରଭାବ ପଡିବାର ଆଶଙ୍କା ରହିଛି । ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଅନୁଗୋଳ, ଢେଙ୍କାନାଳ, ଯାଜପୁର, ଜଗତସିଂହପୁର, କଟକ, ରାୟଗଡା, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଜିଲ୍ଲାରେ ଘଡଘଡି ସହ ପ୍ରବଳ ବର୍ଷା ସମ୍ଭାବନା । ସେହଭଳି ଦେଶର ୮ଟି ରାଜ୍ୟକୁ ସତର୍କ କରାଯାଇଛି । ଓଡ଼ିଶା, ଆଭ୍ୟନ୍ତରୀଣ ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ଝାଡ଼ଖଣ୍ଡ, ଛତିଶଗଡ଼, ମଧ୍ୟ ପ୍ରଦେଶ ଓ ପୂର୍ବ ରାଜସ୍ଥାନ ଭଳି ସ୍ଥାନରେ ଆସନ୍ତା ୨୨ତାରିଖ ପର‌୍ୟ୍ୟନ୍ତ ବର୍ଷା ଲାଗି ରହିବ । ସ୍ଥିତି ଉପରେ ନଜର ରଖିବାକୁ ୯ଟି ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଭାରତୀୟ ପାଣିପାଗ ବିଭାଗ ସତର୍କ କରାଇବା ପରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା। ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗଂଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ନୟାଗଡ଼ର ତଳି ଅଞ୍ଚଳ ଲୋକଙ୍କୁ ସ୍ଥାନାନ୍ତର କରାଯିବ ସହ ବିଦ୍ୟୁତ ବିଭାଗକୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।
ସେପଟେ ସମ୍ଭାବ୍ୟ ବାତ୍ୟାକୁ ଦେଖି ଲୋକଙ୍କ ମନରେ ଛନକା ପିସିଛି ।କିଛି ଦିନର ବ୍ୟବଧାନ ପରେ ବର୍ଷା ଓ ବାତ୍ୟା ଆସୁଥିବାରୁ ସମୁଦ୍ର କୂଳିଆ ଓ ତଳିଆ ଅଞ୍ଚଳର ଲୋକେ ଭୟଭୀତ । ପୁଣି ବନ୍ୟା ଓ ଘରେ ପାଣି ପଶିବାର କଥା ଚିନ୍ତାକରି ଲୋକେ ନିଜ ନିଜ ଜିନିଷ ପତ୍ର ସୁରକ୍ଷିତ ସ୍ଥାନକୁ ନେବାକୁ ଆରମ୍ଭ କରିଛନ୍ତି ।
ବାତ୍ୟାକୁ ଦେଖି ରାଜ୍ୟ ସରକାର ତତ୍ପର ହୋଇଛନ୍ତି ।ଆଜି ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିବା ବେଳେ ୨୨ ତାରିଖରୁ ବର୍ଷା ପରିମାଣ କମିବାର ସମ୍ଭାବନା ରହିଛି ।